ମୟୁରଭଞ୍ଜ: କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ମାଡ଼ ମାରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସିଙ୍କ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ୪ ଜଣ ମହିଳାଙ୍କୁ ଗିରଫ କରିଛି ।
ଗତ ୧୮ ଡିସେମ୍ବରରେ, ଥାନା ଆଇଆଇସି ପ୍ରକାଶ ରଥ ଡାହିସାହି ଗ୍ରାମରେ ଗଚ୍ଛିତ ଥିବା ବାଲିକୁ ଜବତ କରିବାକୁ ଯାଇଥିବାବେଳେ ବାଲି ମାଫିଆଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା । ୧୭ ତାରିଖରେ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବାବେଳେ ଡାହିସାହି ନିକଟସ୍ଥ ଖପରାପାଳ ଘାଟରେ ଗଚ୍ଛିତ ଥିବା ବାଲିକୁ ଜବତ କରୁଥିବାବେଳେ ପୋଲିସ ଟିମକୁ ଅଟକା ଯାଇଥିଲା । ପରଦିନ ୧୮ ତାରିଖ ସକାଳେ ଉକ୍ତ ସ୍ଥାନକୁ ଯିବା ପରେ ପୋଲିସକୁ ଆଉ ଗଚ୍ଛିତ ବାଲି ମିଳି ନ ଥିଲା । ବାଲି ରଖିଥିବା ଘେରା ନାମକ ବ୍ୟକ୍ତିଙ୍କୁ ପୋଲିସ ଖୋଜିବାକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସମେତ ୪ ଜଣ ମହିଳା ପୋଲିସକୁ ଆକ୍ରମଣ କରିଥିଲେ । ଏମିତିକି ଆଇଆଇସି ପ୍ରକାଶ ରଥଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏହା ସହିତ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ।
ତେବେ ଏହି ଘଟଣା ପରେ ଉକ୍ତ ଗ୍ରାମରେ ପୋଲିସ ଛାଉଣି ହୋଇଆଇଥିଲା । ଆକ୍ରମଣକାରୀମାନେ ଗ୍ରାମ ଛାଡ଼ି ଫେରାର ହୋଇଯାଇଥିଲେ । ଏହି ମାମଲାରେ ପୋଲିସ ତଦନ୍ତ କରି ସେହି ମହିଳାମାନଙ୍କୁ ଧରିବାର ସଫଳ ହୋଇଛି । ୪ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।