ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଯୁବକ । ଭୁବନେଶ୍ୱରରେ ଅପହରଣ ମାମଲା, ଆଉ ମୃତ ଦେହ ମିଳିଲା ମୟୁରଭଞ୍ଜ ଜିଲ୍ଲାରୁ । ଏଭଳି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ବୁଢ଼ାବଳଙ୍ଗ ନଦୀ ପଠାରୁ ମିଳିଥିବା ଗଳିତ ମୃତ ଦେହର ମିଳିଛି ମୃତ ଦେହ । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ାର ଜିଲ୍ଲାର ଚନ୍ଦନ କୁମାର ସ୍ଵାଇଁ । ପିକନିକ୍ ଯାଇଥିବାବେଳେ ସାଙ୍ଗମାନେ ମିଶି ତାଙ୍କୁ ହତ୍ୟା କରି ଅପହରଣର ନାଁ ଦେଇ 50 ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଚନ୍ଦନଙ୍କ ପରିବାର ଲୋକେ ଭୁବନେଶ୍ୱର ରୁହନ୍ତି । ଚନ୍ଦନ ବେଙ୍ଗାଲରୁରେ ରହି କାମ କରନ୍ତି । ସେ ତାଙ୍କ ସାଙ୍ଗମାନଙ୍କ ସହିତ ଭୁବନେଶ୍ୱର ଫେରିଥିଲେ । ଏହା ପରେ ଚନ୍ଦନ ନିଜ ସାଙ୍ଗମାନଙ୍କ ସହିତ ବାରିପଦା ପିକନିକ୍ କରିବାକୁ ଯାଇଥିଲେ । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା ଏବଂ ତାଙ୍କୁ ଅପହରଣ କରାଯାଇଛି, ଆଉ ଅପହରଣକାରୀ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଏ ନେଇ ତାଙ୍କ ପରିବାର ପକ୍ଷରୁ ଖାରବେଳନଗର ଥାନା ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା ।
ଅନ୍ୟପକ୍ଷରେ ଗତକାଲି ବୁଢ଼ାବଳଙ୍ଗ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଦେହକୁ ଜବତ କରିଥିଲା । ଶରୀରଟି ପଚି ସଢ଼ି ଯାଇଥିବାରୁ ତାଙ୍କୁ ୪-୫ ଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା । ଅନେକ ଖୋଳତାଡ଼ ପରେ ମୃତ ଦେହଟି ଚନ୍ଦନ ସ୍ୱାଇଁଙ୍କର ବୋଲି ଜଣାପଡ଼ିଛି ।
ପରିବାର ଲୋକଙ୍କୁ ଆସୁଥିବା କଲ୍ ରେକର୍ଡକୁ ଯାଞ୍ଚ୍ କରି ବାରିପଦା ଷ୍ଟେସନରୁ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ । ପରିବାର ଲୋକେ ତାଙ୍କ ସାଙ୍ଗମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।