ମାଲକାନଗିରି: ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଠକି ଟଙ୍କା ଲୁଟିବା ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ଏଭଳି ଏକ ଖବର ହସ୍ତଗତ ହୋଇଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଉରୁବାଲି ଗାଁରୁ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ପୋଲିସ ପ୍ରତିକ୍ରିୟା ମିଳି ପାରି ନାହିଁ ।
ଏମଭି-୫୫ ଗାଁର ବିପ୍ଳବ ସମଦାର ନିଜକୁ ଓକିଲ ପରିଚୟ ଦେଇ ଉରୁବାଲି ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଠାଇ ନେଇଥିଲେ । ଏହା ପରେ ସେ କେଉଁଆଡ଼େ ଫେରାର ହୋଇଯାଇଥିଲା । କିନ୍ତୁ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ବିପ୍ଳବଙ୍କୁ ପାନେ ଦେବାକୁ ସ୍ଥିର କରିଥିଲେ । ଗତକାଲି ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ । ଗ୍ରାମବାସୀ ତାଙ୍କୁ କାବୁ କରି ତାଙ୍କ ପୋଷାକ ଖୋଲି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।
ଜଣେ କି ଦୁଇ ଜଣ ନୁହେଁ ବରଂ ଏମିତି ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିବା ଗାଁଲୋକ ଅଭିଯୋଗ କରିଛନ୍ତି । ତେବେ ଭିଡ଼ିଓ ଭାଇରାଲ ହେବା ପରେ ମୋଟୁ ଥାନା ପୋଲିସ ଘଟଣାର ସମ୍ପର୍କରେ ଅବଗତ ହୋଇଥିଲା ଏବଂ ତଦନ୍ତ ଆରମ୍ଭ କରିଛି ।