ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ଏହି ତତ୍କାଳୀନ ଆରବିଆଇ ଗଭର୍ଣ୍ଣର । ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଲହରି ଖେଳି ଯାଇଛି । ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷିତ କରିଛନ୍ତି । ଏଥିସହ ସମସ୍ତ ସରକାରୀ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍ ବୈଠକ ବସିବ । ଆଉ ଡ.ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କଂଗ୍ରେସ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛି । କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ସମ୍ମାନରେ ସ୍ଥାପନା ଦିବସ ସମାରୋହ ସହ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମ ସାତ ଦିନ ପାଇଁ ରଦ୍ଦ କରାଯାଉଛି । ପାର୍ଟିର ସବୁ କାର୍ଯ୍ୟକ୍ରମ ଆସନ୍ତାବର୍ଷ ଜାନୁଆରୀ ୩ରୁ ଆରମ୍ଭ ହେବ । ଶୋକର ଏହି ସମୟରେ ପାର୍ଟିର ପତାକା ଅର୍ଦ୍ଧନିମିତ ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନମୋହନ ସିଂଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ଏକ୍ସରେ ଲେଖିଛନ୍ତି, ଭାରତ ନିଜର ଜଣେ ପ୍ରତିଷ୍ଠିତ ନେତା ଡ. ମନମୋହନ ସିଂଙ୍କ ନିଧନରେ ସାରା ଦେଶରେ ଶୋକର ଲହରି ଖେଳି ଯାଇଛି। ସାଧାରଣ ପୃଷ୍ଠ ଭୂମିରୁ ଆସି ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇଥିଲେ ମନମୋହନ। ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦରେ କାର୍ଯ୍ୟ କରି ବର୍ଷ ବର୍ଷ ଧରି ଦେଶର ଅର୍ଥନୀତିରେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିଛନ୍ତି। ସଂସଦରେ ତାଙ୍କର କାର୍ୟ୍ୟବଶୈଳୀ ବହୁତ ବ୍ୟବହାରିକ ଥିଲା। ଆମର ପ୍ରଧାନମନ୍ତ୍ରୀ ଭାବେ ସେ ଜନତାଙ୍କ ଜୀବନକୁ ସରଳ ଓ ଉନ୍ନତ କରିବା ପାଇଁ ବ୍ୟାପକ ପ୍ରୟାସ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ମନମୋହନ ସିଂ ଅପାର ଜ୍ଞାନ ଓ ନିଷ୍ଠା ସହିତ ଭାରତର ନେତୃତ୍ଵ ନେଇଛନ୍ତି। ତାଙ୍କ ବିନମ୍ରତା ଓ ଅର୍ଥଶାସ୍ତ୍ରରେ ଗଭୀର ବୁଦ୍ଧିମତା ରାଷ୍ଟ୍ରକୁ ପ୍ରେରିତ କରିଛି। ଶ୍ରୀମତି କୌର ଓ ତାଙ୍କ ପରିବାର ପ୍ରତି ମୋର ହାର୍ଦ୍ଦିକ ସମବେଦନା। ମୁଁ ଜଣେ ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଛି।