ଭୁବନେଶ୍ୱର: ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି । ୧ କୋଟି ୩୮ ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦୁଇ ଜଣ ମାଆ ପୁଅଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ମାଆ ନିଲମ ଅଗ୍ରୱାଲ ଓ ପୁଅ ବଂଶ ଅଗ୍ରୱାଲ । ସେମାନଙ୍କୁ ଉତ୍ତର ପ୍ରଦେଶର ଗାଜିଆବାଦ ବିଜୟ ନଗର ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଗତକାଲି ଉଭୟଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
୨୨ ମେ ୨୦୨୪ରେ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକଙ୍କଠାରୁ ୧,୩୭,୯୦,୦୦୦ କୋଟି ଟଙ୍କା ଠକେଇ ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ମାଆ ପୁଅଙ୍କୁ ଗିରଫ କରିଛି । ଠକେଇ ହୋଇଥିବା ଟଙ୍କା ୩ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ରଖାଯାଇଥିବା ଜଣାପଡ଼ିଥିଲା । ଏହା ସହିତ ୧ କୋଟି ୧୨ ଲକ୍ଷ ଟଙ୍କା ବଂଶୀଲ ସପ୍ଟୱେୟାର ପ୍ରା.ଲି. ନାମକ କମ୍ପାନୀ ଆକାଉଣ୍ଟରୁ ମଧ୍ୟ ଜବତ ହୋଇଛି । ଗିରଫ ମାଆ-ପୁଅଙ୍କର ଏସବିଆଇ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଥିବା ଜଣାପଡ଼ିଛି ।
କେମିତି ବିଛା ଯାଇଥିଲା ଜାଲ ?
ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକଙ୍କୁ ମୁମ୍ବାଇ ପୋଲିସ ସାଇବର କ୍ରାଇମ ଡିଭିଜନ ଏବଂ ଫେଡେକ୍ସ ନାମରେ ଏକ ଅଜଣା ଫୋନ୍ କଲ ଆସିଥିଲା । ତାଙ୍କୁ କୁହାଯାଇଥିଲା କି ତୁମର ଆଧାରକାର୍ଡକୁ କେହି ଜଣେ ହ୍ୟାକର୍ ହ୍ୟାକ୍ କରିଛି ଏବଂ ଏହାକୁ ଅର୍ଥ ଠକେଇରେ ବ୍ୟବହାର କରାଯାଉଛି । ସେଥିପାଇଁ ତୁମକୁ ୩ ରୁ ୭ ବର୍ଷ ଯାଏ ଜେଲ ଯିବାକୁ ପଡ଼ିପାରେ । ତେଣୁ ସମସ୍ତ ଟଙ୍କା ତାଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଇବାକୁ କୁହାଯାଇଥିଲା । ତଦନ୍ତ ପରେ ସମସ୍ତ ଟଙ୍କା ତାଙ୍କୁ ଫେରାଇ ଦିଆଯିବ ବୋଲି କୁହାଯାଇଥିଲା । ଆଉ ଏହି ଜାଲରେ ଫସିଯାଇଥିଲେ ଉକ୍ତ ବ୍ୟକ୍ତି ଜଣକ । ଠକଙ୍କ ଯୋଜନାକୁ ଜାଣି ନ ପାରି ନିଜ ଟଙ୍କାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ନିଜ ପାଖରେ ଏବଂ ସ୍ତ୍ରୀଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କାକୁ ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଇଥିଲେ । ୨୦୨୪ ମେ ମାସ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ୫ ଦଫାରେ ସମସ୍ତ ଟଙ୍କା ଦେଇଥିଲେ । ତେବେ ଏହି କାମ ସାଇବର ଅପରାଧୀଙ୍କର ଜାଣିବା ପରେ ସେ ଥାନାରୁ ଦ୍ୱାରସ୍ଥ ହୋଇଥିଲେ ।
ମାଆ-ପୁଅଙ୍କ ବିରୋଧରେ ଅଛି ୧୫ ମାମଲା
ନିଲମ ଅଗ୍ରୱାଲ ଓ ବଂଶ ଅଗ୍ରୱାଲ ଠକାମୀର ଜାଲ ରାଜଧାନୀ ଦିଲ୍ଲୀରେ ମଧ୍ୟ ବିସ୍ତାର ହୋଇ ରହିଛି । ଦିଲ୍ଲୀର ମନ୍ଦିର ମାର୍ଗ ସାଇବର ପୋଲିସ ଏମାନଙ୍କୁ ୬୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଥିଲା । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏମାନଙ୍କ ବିରୁଦ୍ଧରେ ୧୫ଟି ମାମଲା ଥିବା କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଛି ।