ଭୁବନେଶ୍ୱର : ଆଉ ଦିନ କେଇଟା ପରେ ବିଦାୟ ନେବ ପୁରୁଣା ବର୍ଷ ଆଉ ଆସିବ ନୂଆ ବର୍ଷ । ହେଲେ ଏଥର ଉଭୟ ଶୀତ ଆଉ ବର୍ଷାରେ ନୂଆବର୍ଷ-୨୦୨୫ ନେଇ ଆସୁଛି । ରାଜ୍ୟବାସୀ ନୂଆବର୍ଷକୁ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ସ୍ବାଗତ କରିବେ। ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨୮ରୁ ୨୯ ତାରିଖରେ ମଧ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ ଜାରି ହୋଇଛି ।
ଗତ ୧୭ ତାରିଖ ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାରୁ ଚାଷୀଭାଇ ମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଫସଲ ଅମଳ ଓ ଧାନ ବିକ୍ରି ସମୟ ଥିବା ଯୋଗୁଁ ମଣ୍ଡି ଓ କ୍ଷେତରେ ବ୍ୟାପକ ଧାନ ପଡ଼ି ରହିଛି। ଡିସେମ୍ବର ୧୫ ତାରିଖ ପରଠାରୁ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଅର୍ଥାତ ୧୭ରୁ ୨୧ ଓ ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ଏହାରି ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ପୁଣି ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।
ପାଣିପାଗ ସୂଚନା ଅନୁଯାୟୀ ଶନିବାର ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶନିବାର ଦିନ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୨୯ ତାରିଖ (ରବିବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ହୋଇପାରେ। ଏହା ପରଠାରୁ ପାଗ ଶୁଖିଲା ରହିବ। ବର୍ଷା ସରିବା ପରେ ପ୍ରବଳ ଶୀତ ହୋଇପାରେ। ଡିସେମ୍ବର ୩୦ ତାରିଖ ଠାରୁ ଶୀତ ବଢ଼ିଲା ପରେ ନୂଆବର୍ଷ ବେଳକୁ ପାରଦ ଖସିବାର ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆଜି କହିଛନ୍ତି ଯେ ରାଜ୍ୟବାସୀ ନୂଆବର୍ଷ-୨୦୨୫କୁ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ସ୍ବାଗତ କରିବେ। ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
ଅଧିକ ପଢନ୍ତୁ :- ଆସୁଛି ଆଉ ଏକ ଲଘୁଚାପ ! ଜାନୁଆରୀ ପହଲାରୁ ଆଉ ଏକ ଲଘୁଚାପ !