କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲି ଓଝା ନ୍ୟାୟ ଦାବିରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କ ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଏବଂ ମହାକାଳପଡ଼ା ବିଡ଼ିଓ ଓ ଆଇଆଇସିଙ୍କ ବଦଳି ଦାବି କରିଛନ୍ତି ଚାମେଲି ।
ଚାମେଲି ଓଝା ଆଜି ତାଙ୍କର ସମର୍ଥକଙ୍କ ସହିତ ଆସି ପ୍ରଥମେ ଗରାପୁର ଡାକବଙ୍ଗଳା ଛକରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ଖାଲି ପାଦରେ ଦୁଇ କିଲୋମିଟର୍ ଚାଲି ଚାଲି ଯାଏ ଏସପି ଅଫିସ ଆଗରେ ଧାରଣାରେ ଦେଇଛନ୍ତି । ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଓ ଥାନା ଅଧିକାରୀଙ୍କ ନିଲମ୍ବନ ମଧ୍ୟ ଦାବି କରିଛନ୍ତି । ତତସହିତ ବିଡ଼ିଓଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଦାବି କରିଛନ୍ତି । ସେହିପରି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅନ୍ୟ ଅଭିଯୁକ୍ତ ପ୍ରଶାନ୍ତ ସେଠୀ, ହରିଶ ଲେଙ୍କା, କ୍ରିଷ୍ଣପଦ ମଣ୍ଡଳ, ଚନ୍ଦ୍ରକାନ୍ତ ସ୍ୱାଇଁ, ମାନସ ମହାନ୍ତି, ରୋହିତ ରାଉତଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ଚାମେଲି ଦାବିପତ୍ର ଦେବା ସହିତ ପୋଲିସକୁ ୭୨ ଘଣ୍ଟା ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ନଚେତ ୭୨ ଘଣ୍ଟା ପରେ ଏହି ଆନ୍ଦୋଳନ ତିଖିରୀରୁ ବାହାରି ରାଜଭବନ ଓ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ବ୍ଲକ୍ ପ୍ରଶାସନ ଓ ଚାମେଲି ଓଝା ବିବାଦ ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ତେବେ ଏହି ଘଟଣାରେ କାହିଁକି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁ ନାହିଁ ବୋଲି ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ପ୍ରଶ୍ନ କରିଛନ୍ତି । ଆଜିର ଧାରଣାରେ ବିଭିନ୍ନ ଜିଲ୍ଲାର ସରଫଚ ସଂଘ ଓ ମହିଳା ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ଚାମେଲିଙ୍କୁ ସମର୍ଥନ ଦେବା ପାଇଁ କଟକ ଜିଲ୍ଲା ସରପଞ୍ଚର ସଂଘର ସଦସ୍ୟମାନେ ଆଜି କେନ୍ଦ୍ରପଡାରେ ପହଁଚିଥିଲେ । ସେହିପରି ବିଭିନ୍ନ ମହିଳା ସଂଗଠନ ମଧ୍ୟ ଚାମଲିଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ଧାରଣା ସ୍ଥଳରେ ଅତିରିକ୍ତ ଏସପି, ଏସଡିଓ ପହଞ୍ଚି ଚାମେଲିଙ୍କୁ ବୁଝାଇ ଥିଲେ ତୁରନ୍ତ ଆଉ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିବା ପରେ ଚାମେଲି ଧାରଣାରୁ ଓହରି ଥିଲେ ।