ବରଗଡ଼: ପୁଣି ଇଚ୍ଛା ମୃତ୍ୟୁ ମାଗିଲେ ବରଗଡ଼ ଜିଲ୍ଲାର ଜଣେ ଯୁବ ଚାଷୀ । ଧାନ ବିକ୍ରି ସମସ୍ୟା ଚାଷୀଙ୍କ ପିଛା ଛାଡୁନଥିବା ବେଳେ ଶେଷରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଚାଷୀ । ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରୁ ।
ମେଲଛାମୁଣ୍ଡା ଗ୍ରାମର ଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଧାର କରଜ କରି ବହୁତ କଷ୍ଟରେ ଧାନ ଦି ମୁଠା ଚାଷ କରିଥିଲେ । ମଣ୍ଡିରେ ଧାନ ବିକ୍ରି ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଘରେ ରୋଗୀଣା ମାଆଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ସେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଯାହାଠାରୁ ଧାନ ଚାଷ ପାଇଁ ଯେଉଁ ଦୋକାନୀଠାରୁ ବିଭିନ୍ନ ସାମଗ୍ରୀ ଆଣିଥିଲେ ସେ ମଧ୍ୟ ପ୍ରତିଦିନ ପଇସା ମାଗୁଛି । ଟ୍ରାକ୍ଟର୍ ଭଡ଼ା ମଧ୍ୟ ବାକିରେ ଅଛି ।
ଗୋପାଳ ଦୀର୍ଘ ଦିନ ହେବ ଟୋକନ୍କୁ ଅପେକ୍ଷା କରି ରହିଥିବା ବେଳେ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିଜର ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ମିଳିନଥିଲା । ଧାନ ନେଇ ମଣ୍ଡିକୁ ଯାଇଥିଲେ ମାତ୍ର ମଣ୍ଡିରେ ଧାନ ରଖି ନଥିଲେ । ଘରେ ମଧ୍ୟ ଧାନ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ବର୍ଷାରେ ଧାନ ଭିଜିଲାଣି । ତାଙ୍କ ଦୁଃଖ କେହି ନଶୁଣିବାରୁ ଶେଷରେ ଅନ୍ୟ କୌଣସି ଉପାୟ ନପାଇ ସେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ।