ଭୁବନେଶ୍ୱର: ସମୁଦ୍ର କେବଳ ଓଡ଼ିଶାର ଭୌଗୋଳିକ ସୀମା ନୁହେଁ, ବରଂ ଏହା ରାଜ୍ୟ ପାଇଁ ନିବେଶ, ବାଣିଜ୍ୟ ଓ ବିକାଶର ପ୍ରମୁଖ ପ୍ରବେଶ ପଥ। ଓଡ଼ିଶା ପୁଲିସ୍ର ୧୪ତମ MAMSG ବୈଠକରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳ ଓ ଅନେକ ବେଳାଭୂମି ଓଡ଼ିଶାର ଅମୂଲ୍ୟ ସମ୍ପଦ। ଏହାର ସୁରକ୍ଷା ଓ ସଦୁପଯୋଗ ରାଜ୍ୟର ପ୍ରାଥମିକତା। ବନ୍ଦର, ମତ୍ସ୍ୟ ଚାଷ, ସାମୁଦ୍ରିକ ଗବେଷଣା ଏବଂ ବ୍ଲୁ ଇକୋନୋମି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଥିବାରୁ ଏହାକୁ ଆର୍ଥିକ ବିକାଶର ମୁଖ୍ୟ ଶକ୍ତି ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେ କହିଛନ୍ତି, ଅତୀତରେ ଓଡ଼ିଶାର ସାଧବପୁଅମାନେ ଦକ୍ଷିଣ ଓ ପୂର୍ବ ଏସିଆ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରି ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ସେହି ଐତିହ୍ୟକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଏବେ ସାମୁଦ୍ରିକ ଭିତ୍ତିଭୂମିକୁ ମଜବୁତ କରିବାରେ ଗୁରୁତ୍ୱ ଦେଉଛନ୍ତି।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବାହୁଦା ଏବଂ ମହାନଦୀ ଅବବାହିକା ଅଞ୍ଚଳରେ ଦୁଇଟି ଆଧୁନିକ ବନ୍ଦର ନିର୍ମାଣ ପାଇଁ ଯୋଜନା ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ଡିପ୍-ସି ପୋର୍ଟ ସହ ଅତ୍ୟାଧୁନିକ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାର ମଧ୍ୟ କରାଯିବ।
ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲରଗୁଡ଼ିକର ସୁରକ୍ଷା ବଢ଼ାଇବା ପାଇଁ ନୂତନ ସୁରକ୍ଷା ଡିଭାଇସ୍ ଓ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ସମୁଦ୍ର ଭିତ୍ତିକ ଅର୍ଥନୀତିକୁ ମଜବୁତ କରି ଓଡ଼ିଶାକୁ ଏକ ସାମୁଦ୍ରିକ ଶକ୍ତିକେନ୍ଦ୍ରରେ ପରିଣତ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।