ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ନ୍ୟାୟ ଓ କଲ୍ୟାଣମୂଳକ ଯୋଜନାକୁ ଆହୁରି ସୁଦୃଢ଼ କରିବା ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବୁଧବାର ଲୋକସେବା ଭବନରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତକାର ସମୟରେ ଓଡ଼ିଶାରେ ସାମାଜିକ ନ୍ୟାୟ, ଦୁର୍ବଳ ଓ ଅସହାୟ ବର୍ଗଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଯୋଜନାର ସୁଫଳ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଉଭୟ ସରକାର ମିଳିତ ଭାବେ କାମ କରିବାକୁ ସହମତ ହୋଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ସେ କହିଥିଲେ, ମଧୁବାବୁ ପେନସନ ଯୋଜନାରେ ଆହୁରି ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ସମାଜର ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ ଜୀବନମାନର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସମସ୍ତ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ମଧ୍ୟ ଓଡ଼ିଶାରେ ସାମାଜିକ କଲ୍ୟାଣ କ୍ଷେତ୍ରରେ ହେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ଶେଷରେ ଉଭୟ ନେତା ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।