ଦେଓଗଡ଼: ବିଧବା ମହିଳାଙ୍କୁ ବି ଛାଡ଼ିଲେନି ଯୌନ ପିପାସୁ ପିଶାଚ । ଦେଓଗଡ଼ ଜିଲ୍ଲା ସଦର ଥାନ ଅଞ୍ଚଳ କଳାମାଟି ଗ୍ରାମ ନିକଟ ଜଙ୍ଗଲରେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଜୁରିବନି ଗ୍ରାମର ଦୀପକ କିଣ୍ଡୋ (୨୮), ବିନୋଦ କିଣ୍ଡୋ (୩୦), ଆଶିଷ ଖେସ (୨୪) ଓ କଳାମାଟି ଗ୍ରାମର ଫ୍ରାନ୍ସି ଟୋପା (୨୮) । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି ।
ସୂଚନା ମୁତାବକ, ଗତ ସୋମବାର ବଲମ୍ ବଜାର ରୁ ପିଡିତା ମହିଳା ଫେରୁଥିବା ବେଳେ ତାଙ୍କୁ ଅଭିଯୁକ୍ତ ଦୀପକ କିଣ୍ଡୋ ତାଙ୍କୁ ବାଇକରେ ଲିପ୍ଟ ଦେଇଥିଲେ । କିଛି ଦୂର ଗଲା ପରେ ଦୀପକ ମହିଳା ଜଣଙ୍କୁ ଅଶ୍ଳୀଳ ଆଚରଣ କରିଥିଲେ । ମହିଳା ଜଣକ ଏହାର ବିରୋଧ କରି ବାଇକରୁ ଓହ୍ଲାଇ ପଡ଼ି ଚାଲି ଚାଲି ଯାଇଥିଲେ । ପୁଣି ଦୀପକ ତାଙ୍କୁ ପଛ ପଟୁ କାବୁ କରି ନେଇଥିଲେ । ସେଠାରେ ପୂର୍ବରୁ ଥିବା ଅନ୍ୟ ତିନି ଜଣ ବିନୋଦ କିଣ୍ଡୋ, ଆଶିଷ ଖେସ ଓ ଫ୍ରାନ୍ସି ଟୋପା ପୀଡିତାଙ୍କୁ ନିକଟସ୍ତ ଜଙ୍ଗଲକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏ ନେଇ ପୀଡ଼ିତା ମହିଳା ଜଣକ ମଙ୍ଗଳବାର ଦିନ ଦେଓଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ମାମଲା ଗ୍ରହଣ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । ମାମଲାର ତଦନ୍ତ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ ।