ନୂଆଦିଲ୍ଲୀ: ପହଲାଗାମ ଆତଙ୍କବାଦୀ ଆକ୍ରମଣ ସବୁଠାରୁ ବର୍ବର କାଣ୍ଡ ଥିଲ । ପରିବାର ସଦସ୍ୟଙ୍କ ସମ୍ମୁଖରେ ନିଜ ଲୋକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଗଲା । ପରିବାର ସଦସ୍ୟଙ୍କୁ ଜାଣିଶୁଣି ଆଘାତ ଦିଆଯାଇଥିଲା । ଅପରେସନ ସିନ୍ଦୁର ଦ୍ୱାରା ତାହାର ପ୍ରତିଶୋଧ ନିଆଯାଇଛି । ଏ ନେଇ ଭାରତୀୟ ବୈଦେଶିକ ସଚିବ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଆଉ ଆକ୍ରମଣର ଟିକିନିଖି ସୂଚନା ଦେଇଛନ୍ତି ଦୁଇ ମହିଳା ସେନା ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ । ହିନ୍ଦୁ ଧର୍ମକୁ ଆତଙ୍କବାଦୀମାନେ କେନ୍ଦ୍ର କରି ଏହି ନରସଂହାର କରିଥିଲେ ସେହି ପାକିସ୍ତାନକୁ ଜବାବ ଦେଇଛନ୍ତି ସୋଫିଆ କୁରେଶୀ ।
କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ଵ୍ୟୋମିକା ସିଂହ ଭିଡ଼ିଓ ଗ୍ରାଫି ମାଧ୍ୟମରେ ପ୍ରମାଣ ସହିତ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଅପରେସନ ରାତି ୧:୦୫ ରୁ ୧:୩୦ ମଧ୍ୟରେ ହୋଇଥିଲା । ୩ ଦଶନ୍ଧି ଧରି ପାକିସ୍ତାନରେ ଆତଙ୍କବାଦୀ ଉତ୍ପାଦନ କରାଯାଉଛି । ପାକିସ୍ତାନ ଏବଂ ଚଙକ (ପାକ୍ ଅଧିକୃତ କାଶ୍ମୀର)ରେ ୯ଟି ସ୍ଥାନକୁ ଟାର୍ଗେଟ ଚିହ୍ନଟ କରାଯାଇଥିଲା ଏବଂ ସେଗୁଡ଼ିକୁ ନଷ୍ଟ କରାଯାଇଛି । ଲଞ୍ଚପ୍ୟାଡ୍ ଏବଂ ତାଲିମ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ।
ଲସ୍କରର ସୱାଇ ନାଲା ମୁଜାଫରାବାଦରେ ଏକ ତାଲିମ କେନ୍ଦ୍ର ଥିଲା। ଯାହାକୁ ନଷ୍ଟ କରିଦିଆଯାଇଛି । ଚଙକରେ ଲସ୍କରର ପ୍ରଥମ ତାଲିମ କେନ୍ଦ୍ର ସୱାଇ ନାଲା ମୁଜାଫରାବାଦରେ ଥିଲା। ସୋନମାର୍ଗ, ଗୁଲମାର୍ଗ ଏବଂ ପହଲଗାମ୍ ଆକ୍ରମଣର ଆତଙ୍କବାଦୀମାନେ ଏଠାରେ ତାଲିମ ନେଇଥିଲେ । ସୟଦନା ବିଲାଲ୍ କ୍ୟାମ୍ପ ମୁଜାଫରାବାଦରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଜଙ୍ଗଲରେ ସୁରକ୍ଷିତଭାବେ ରହିବାର ତାଲିମ ଦିଆଯାଇଥିଲା।
ସେହିପରି କୋଟଲି ଗୁରୁପୁର କ୍ୟାମ୍ପ ଲସ୍କରର ଆତଙ୍କୀ ଆଡ୍ଡା ଏଲଓସିରୁ ୩୦ କିମି ଦୂରରେ ଅବସ୍ଥିତ । ଏହାର ସଦସ୍ୟ ରଜୌରୀ ଏବଂ ପୁଞ୍ଛରେ ସକ୍ରିୟ ଥିଲେ । ୨୦୨୩ ମସିହାରେ ପୁଞ୍ଚରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣରେ ସମ୍ପୃକ୍ତି ଥିବା ଆତଙ୍କବାଦୀମାନଙ୍କୁ ଏଠାରେ ତାଲିମ ଦିଆଯାଇଥିଲା। ବିମ୍ବରର ହର୍ଣ୍ଣାଲ କ୍ୟାମ୍ପ ଏଲଓସିର ୯ କିଲୋମିଟର ଦୂରରେ ଅବସ୍ଥିତ । କୋଟଲିର ଆବ୍ବାସ କ୍ୟାମ୍ପ୍ ଧ୍ୱଂସ କରିଛି ଭାରତୀୟ ସେନା ।
ସେହିପରି ପାକିସ୍ତାନ ସିଆଲକୋଟ ସର୍ଜାଲା କ୍ୟାମ୍ପକୁ ଧ୍ୱଂସ କରାଯାଇଛି । ଯେଉଁଠି ମାର୍ଚ୍ଚ ୨୦୨୫ରେ ପୋଲିସକୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା । ହିଜବୁଲ ମୁଜାହିଦନର ମୁଖ୍ୟ କ୍ୟାମ୍ପ୍ ସିଆଲକୋଟରେ ଥିବା ମେହମ୍ମୁନା କ୍ୟାମ୍ପକୁ ଉଡ଼ାଇ ଦିଆଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନର ମର୍କଜ ତୈବା ମୁରୀଦକେ କ୍ୟାମ୍ପକୁ ଧ୍ୱଂସ କରାଯାଇଛି । ଯେଉଁଠାରେ ମୁମ୍ବାଇ ଆକ୍ରମଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି, ଆତଙ୍କବାଦୀ ସ୍ଥଳ ମରକଜ, ସୁଭାନ ଅଲ୍ଲାହ, ବହାବଲପୁର, ପାକିସ୍ତାନ, ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ଭାରତୀୟ ସାମିରକ ବିଭାଗ ଟାର୍ଗେଟ୍ କରାଯାଇଛି । କର୍ଣ୍ଣେଲ ସୋଫିଆ ବିଶ୍ୱକୁ ପ୍ରମାଣ ଦେଖାଇବାକୁ ଯାଇ ଆକ୍ରମଣର ଭିଡ଼ିଓ ଦେଖାଇଛନ୍ତି ।