ମୁମ୍ବାଇ: ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱରେ ମହିଳାମାନଙ୍କ ପାଇଁ ପାଳନ ହେଉଛି ଏହି ସ୍ୱତନ୍ତ୍ର ଦିନ । ତେବେ ଖାଲି ବାସ୍ତବ ଦୁନିଆର କାହାଣୀ ନୁହେଁ ବରଂ ଚଳଚ୍ଚିତ୍ର ଦୁନିଆରେ ମଧ୍ୟ ମହିଳା କୈନ୍ଦ୍ରିକ ଫିଲ୍ମ ସୁପରଡୁପର୍ ହିଟ୍ ହୋଇଛି । ଆଉ ବିଶେଷଭାବରେ ଏକ ଫିଲ୍ମରେ ହିରୋଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଏହି ମହିଳା କୈନ୍ଦ୍ରିକ ଫିଲ୍ମ ମଧ୍ୟ ହିରୋଇନ୍ ମାନେ ବାଜିମାତ୍ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ବଲିଉଡରେ ତିଆରି ହୋଇଥିବା ଏମିତି ସିନେମା ଉପରେ, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ଏବଂ ବ୍ୟବସାୟ ମଧ୍ୟ ଭଲ କରିଛି ।
ମହିଳାଙ୍କ କାହାଣୀକୁ ନେଇ ବଲିଉଡରେ ଅନେକ ସିନେମା ନିର୍ମାଣ କରାଯାଇଛି । ମ୍ୟାରିକମ୍, ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ, ଗଙ୍ଗୁବାଇ କାଠିଆୱାଡ଼ୀ, ଦ କେରଲା ଷ୍ଟୋରୀ, ତନୁ ୱେଡସ୍ ମନୁ, ରାଜୀ ଓ କ୍ରୁ ଇତ୍ୟାଦି । ଏଥି ମଧ୍ୟରୁ କେତକ ଫିଲ୍ମଗୁଡ଼ିକରେ ହିରୋଇନମାନଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।
'ଦି କେରଳ ଷ୍ଟୋରୀ'
ଆଦା ଶର୍ମାଙ୍କ ଅଭିନୀତ ଫିଲ୍ମ 'ଦି କେରଳ ଷ୍ଟୋରୀ' ୨୦୨୩ର ସର୍ବାଧିକ ଆୟକାରୀ ସର୍ବକାଳୀନ ମହିଳା-କୈନ୍ଦ୍ରିକ ଫିଲ୍ମ । ବଲିଉଡ୍ ହଙ୍ଗାମା ଅନୁଯାୟୀ, ସୁଦୀପ୍ତୋ ସେନ୍ ନିର୍ଦ୍ଦେଶିତ ଦି କେରଳ ଷ୍ଟୋରୀ ୨୪୨.୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏଥିରେ ଆଦା ଶର୍ମା ଜଣେ ହିନ୍ଦୁ ଯୁବତୀଙ୍କ ଚରିତ୍ରରେ ନଜର ଆସିଥିଲେ, ଯିଏ ଏକ ଲଭ୍ ଜିହାଦରେ ଶୀକାର ହୋଇଥିଲେ ।
‘ଗଙ୍ଗୁବାଇ କାଠିଆୱାଡ଼ୀ’
ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡ଼ୀ’ ବେଶ ଆଦୃତ ହୋଇଥିଲା । ଆଲିଆଙ୍କ ଲୁକ୍ ସହିତ ତାଙ୍କ ଡାଇଲଗ୍ ଦର୍ଶକଙ୍କ ମନକୁ ଛୁଇଁଥିଲା । ୨୦୨୨ରେ ମୁକ୍ତିଲାଭ କରିଥିବା ଫିଲ୍ମ କେବଳ ଭାରତରେ ୧୫୩.୬୯ କୋଟି ଆୟ କରିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ୨୦୯.୭୭ କୋଟି ବ୍ୟବସାୟ କରିଥିଲା ।
‘ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍’
ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍’ ସର୍ବକାଳୀନ ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ସାମିଲ ହୋଇଛି । ଯଦିଓ ଫିଲ୍ମରେ ଆର ମାଧବନ ଏବଂ ଜିମି ଶେରଗିଲଙ୍କ ଭଳି ନାୟକ ମଧ୍ୟ ଥିଲେ, କିନ୍ତୁ କାହାଣୀଟି କଙ୍ଗନା ରାଣାୱତଙ୍କ ଚାରିପାଖରେ ଘୂରି ବୁଲିଥିଲା । ଆଉ ଏହି ଫିଲ୍ମ ହିଁ କଙ୍ଗନା ଫିଲ୍ମ କରିଅରର ଏକ ଭିନ୍ନ ମୋଡ଼ ନେଇଥିଲା । ତାଙ୍କୁ ଅଦ୍ଭୁତପୂର୍ବ ସଫଳତା ଆଣି ଦେଇଥିଲା । ୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ୧୫୦.୮ କୋଟି ଟଙ୍କାର ବ୍ୟବସାୟ କରିଥିଲା ।
‘ରାଜୀ’
ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରାଜୀ’ମଧ୍ୟ ସର୍ବାଧିକ ଆୟକାରୀ ମହିଳା କୈନ୍ଦ୍ରିକ ଫିଲ୍ମ ତାଲିକାରେ ସାମିଲ ହୋଇଛି । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ ଏକ ଚମତ୍କାର ଅଭିନୟ କରିଥିଲେ । ଏହି ଫିଲ୍ମରେ ବିକି କୌଶଲ୍ ମଧ୍ୟ ଥିଲେ । ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ୧୨୩.୮୪ କୋଟି ଟଙ୍କାର ବ୍ୟବସାୟ କରିଥିଲା।
‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’
ବଲିଉଡର ରାଣୀ ଭାବରେ ଜଣାଶୁଣା କଙ୍ଗନା ରାଣାୱତ ମଧ୍ୟ ତାଙ୍କର ଚଳଚ୍ଚିତ୍ର ମଣିକର୍ଣ୍ଣିକା ସହିତ ବକ୍ସ ଅଫିସରେ ଏକ ଭଲ ବ୍ୟବସାୟ କରିଥିଲା । ଏହା ୨୦୧୯ର ସର୍ବାଧିକ ଆୟକାରୀ ଫିଲ୍ମ ମଧ୍ୟରେ ମଧ୍ୟ ସ୍ଥାନ ପାଇଛି । ଝାନ୍ସୀର ରାଣୀଙ୍କ ଉପରେ ଆଧାରିତ ଏହି ଫିଲ୍ମଟି ୯୨.୧୯ କୋଟି ଟଙ୍କା ଆୟ କରିଥିଲା ।