ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ବ୍ରହ୍ମପୁର ବଡବଜାର ଥାନା ଜଗବନ୍ଧୁ ସାହିରେ ଘଟିଛି । ମୃତକ ବିଦ୍ୟାଧର ପାଣିଗ୍ରାହୀ । ପୋଲିସ ଘଟଣାର ଛାନଭିନ୍ କରୁଛି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ବିଦ୍ୟାଧର ନିଜ ସାଙ୍ଗ ସହ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇନେଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ ଖବର ପାଇ, ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇକୁ ଅଟକ ରଖିଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି ।