ପୁଣି ଏନ୍କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି। ତେବେ ଏହି ଏନ୍କାଉଣ୍ଟର ଛତିଶଗଡ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ବିନାମୁଣ୍ଡାରେ ହୋଇଥିଲା। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ,ବହୁ ମାଓ ସାମଗ୍ରୀ ଜବତ କରିଛି। ଏହାପରେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛନ୍ତି ସୁରକ୍ଷାବାହିନୀ।
ସୂଚନା ମୁତାବକ, ଛୋଟେବେଠିଆ ଥାନା ଠାରୁ ୧୨ କିମି ମଧ୍ୟରେ ଥିବା ବିନାଗୁଣ୍ଡା ଅଞ୍ଚଳରେ ବସ୍ତର ଫାଇଟର୍ସ ସହ ବିଏସ୍ଏଫ୍ ୩୦ ଓ ୯୪ ତମ ଫୋର୍ସର ମିଳିତ ସୁରକ୍ଷାବାହିନୀର କସିଂ ଅପରେସନ ଚାଲିଥିଲା। ସେଠାରେ ମାଓବାଦୀ ଥିବା ଜାଣିବା ପରେ ଜୋରଦାର ଗୁଳିଚାଳନା କରିଥିଲେ ସୁରକ୍ଷାବାହିନୀ । ପାଲଟା ଜବାବରେ ମାଓବାଦୀ ମଧ୍ୟ ଗୁଳିଚାଳନା କରିଥିଲେ। ଏହାପରେ ଉଭୟ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ,ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ଗୁଳିବିନିମୟରେ କୌଣସି ସୁରକ୍ଷାବାହିନୀ ଆହତ ହୋଇନଥିବା ସୂଚନା ମିଳିଛି।