ଗଞ୍ଜାମ: ବିବାହ ଶୋଭାଯାତ୍ରା ବେଳେ ଗୋଷ୍ଠୀସଂଘର୍ଷ।ସମିତି ସଭ୍ୟଙ୍କ ସମେତ ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା କୁଶପୁର ଗାଁରେ ବିବାହ ପ୍ରୋସେସନକୁ କେନ୍ଦ୍ର କରି ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ପଞ୍ଚାୟତ ସମିତି ସଭ୍ୟଙ୍କ ସମେତ ୪ ଜଣଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଛି। ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି।
ଘଟଣା ମୁତାବିକ, ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରା ପୁରା ଗାଁ ପରିକ୍ରମା କରିଥିଲ। ରାତି ପ୍ରାୟ ୧ଟା ବେଳେ, ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଉଗ୍ର ରୂପ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ଶୋଭାଯାତ୍ରାରେ କିଛି ଯୁବକ ଇଟା, ପଥର ଫୋପଡା ଫୋପାଡ଼ି କରୁଥିବାବେଳେ ସାହି ବାସିନ୍ଦା ଏହାକୁ ବିରୋଧ କରିଥିଲେ ଏବଂ ଯୁବକ ମାନଙ୍କୁ ଏଭଳି ନ କରିବାକୁ ତାଗିଦ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସୁରଟ ଏବଂ ବେଙ୍ଗାଲୁରୁର ଅନେକ ଯୁବକ ଏହି ପ୍ରୋସେସନରେ ସାମିଲ ହୋଇଥିଲେ। ପ୍ରୋସେସନ ଚାଲିଥିବାବେଳେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଇଟା ପଥର ଫିଙ୍ଗିଥିଲେ। ଏହା ଦେଖିବା ପରେ ଏହି ଗାଁର ସମିତି ସଭ୍ୟ ପ୍ରକାଶ ନାହାକ ଉକ୍ତ ନିଶାସକ୍ତ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକମାନେ ପ୍ରକାଶଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏତିକିବେଳେ ପ୍ରକାଶ ଜଣଙ୍କ ଘରେ ପଶିଯିବାରୁ ସେଠାରେ ତାଙ୍କୁ ଆକ୍ରମଣ କରିବା ସହ ପ୍ରକାଶଙ୍କ ୪ ସହଯୋଗୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି।
ଗୁରୁତରମାନଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିବାହ ଶୋଭାଯାତ୍ରା ବେଳେ ୧୦ରୁ ୧୨ ଜଣ ଯୁବକ ଆସି ବାରଣ କରିଥିବା ଲୋକଙ୍କର ଘରେ ପଶି ଖଣ୍ଡା ଓ ଲୁହା ଛଡରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବାଘାଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ସମେତ ଅନ୍ୟ ୪ ଜଣ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
ଅଧିକ ପଢନ୍ତୁ: ମହଙ୍ଗା ପଡ଼ିଲା ଫିଲ୍ମ ଷ୍ଟାଇଲରେ ଷ୍ଟଣ୍ଟ, ୭ ଯୁବକ ଗିରଫ