ଭୁବନେଶ୍ୱର: ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି ନବୀନ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଚଳିତ ବର୍ଷ ସେ ନିଆରା ଢଙ୍ଗରେ ନିଜର ଜନ୍ମଦିନକୁ ପାଳନ କରିବେ । ପାଖାପାଖି ୬ ମାସ ବ୍ୟବଧାନ ପରେ ସେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଇ ଦେଶରେ ଇତିହାସ ସୃଷ୍ଟି କରିଛନ୍ତି ।
ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତିଠାରୁ ଦୂରରେ ଥାଇ କଟାଇଥିଲେ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପାଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନା କରିଥିଲେ । ର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି । କେବଳ ରାଜନୀତି ନୁହେଁ ସାହିତ୍ୟ ରଚନା କରି ମଧ୍ୟ ସେ ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି।