ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଗଣତି ଶେଷ ହୋଇଛି । ଗଣତି ଶେଷରେ ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଛି ।
ସୋମବାର ସକାଳ ୯ଟା ରୁ ରାତ୍ର ୮ଟା ଯାଏଁ ଗଣତି ଚାଲିଥିଲା । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୋଲିସଙ୍କ ତତ୍ତ୍ୱାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଥିଲା। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ।
ତେବେ ଗତ ୬ ମାସ ତଳେ ଅର୍ଥାତ ଜାନୁଆରୀ ୨୭ ତାରିଖ ଦିନ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଥିଲା । ଏତେ ପରିମାଣର ଦାନ ରାଶି ପୂର୍ବରୁ କେବେ ବାହାରି ନ ଥିବାରୁ ଗତକାଲି ଏହା ରେକର୍ଡ କରିଛି ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଧାକାନ୍ତ ଦଳେଇ ପ୍ରକାଶ କରିଛନ୍ତି ।