ଭୁବନେଶ୍ୱର: ଏକ ବର୍ଷ ମଧ୍ୟରେ ରାଜ୍ୟରେ ବର୍ଷକରେ ୧୬ ଲକ୍ଷରୁ ଅଧିକ 'ଲକ୍ଷପତି ଦିଦି' ସୃଷ୍ଟି ହୋଇଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ମଡେଲ୍ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ ଆୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଉଦବୋଧନ ଦେଇ କହିଛନ୍ତି, ଲକ୍ଷପତି ଦିଦି ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଆନ୍ଦୋଳନ । ଯାହା ମହିଳାମାନଙ୍କୁ ଘର ଚାରି କାନ୍ଥ ମଧ୍ୟରୁ ବାହାର କରି ବିକାଶ ସ୍ରୋତରେ ଯୋଡୁଛି । ଏହି ଲକ୍ଷପତି ଦିଦି ସୃଷ୍ଟି କରାଇବାରେ ଓଡିଶା ଲଗାତର ଭାବେ ଏକ ନମ୍ବର ସ୍ଥାନରେ ରହିଛି । ଏହା ଆମ ପାଇଁ ବଡ ଉପଲବ୍ଧି । କୃଷି, ପଶୁ ପାଳନ, ସିଲାଇ, କାଫେ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଆମ ଗ୍ରାମାଞ୍ଚଳର ମହିଳା ମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ବଳରେ ଆଜି ଗ୍ରାମାଞ୍ଚଳର ମହିଳା ମାନେ କେବଳ ନିଜ ପାଇଁ ରୋଜଗାର କରୁନାହାନ୍ତି, ଅନ୍ୟ ମାନଙ୍କ ପାଇଁ ଉଦାହରଣ ମଧ୍ୟ ହୋଇ ପାରିଛନ୍ତି। ଆଗାମୀ ଦିନରେ ସଶକ୍ତ ମହିଳା ମାନେ ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ବର୍ଷ ମଧ୍ୟରେ ରାଜ୍ୟରେ ବର୍ଷକରେ ୧୬ ଲକ୍ଷରୁ ଅଧିକ'ଲକ୍ଷପତି ଦିଦି' ସୃଷ୍ଟି ହୋଇଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏ ଯାବତ ୯୩ ପ୍ରତିଶତ ହାସଲ କରାଯାଇଛି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡେଲ୍ ହେବେ । ସୁଭଦ୍ରା ମହିଳାମାନେ ମଧ୍ୟ ଲକ୍ଷପତି ଦିଦି ହେବାକୁ ଲକ୍ଷ୍ୟ ରଖିବା ଉଚିତ ବୋଲି କହିଛନ୍ତି ।