ବ୍ରହ୍ମପୁର: ଜଣେ ଯୁବକ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବୁଧବାର ରାତିରେ ବ୍ରହ୍ମପୁର ବଡବଜାର ଥାନା ମେଣ୍ଟୁ ଛକରେ ନିଜକୁ ଜାଳି ଦେଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଯୁବକ ପୁରୁଣାବ୍ରହ୍ମପୁର ରାଧାକୃଷ୍ଣ ସାହିର ସୂରଜ ସାହୁ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ବୁଧବାର ରାତିରେ ମେଣ୍ଟୁ ଛକରେ ପାରିବାରିକ ମନାନ୍ତରକୁ ନେଇ ସୂରଜ ସାହୁ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ କରିଥିଲେ । ଆତ୍ମାହୁତି ଉଦ୍ୟମ ପୂର୍ବରୁ ଯୁବକ ଜଣକ ନିଜ ସୋସିଆଲ ମିଡିଆରେ ଏକ ମେସେଜ ସେୟାର କରିଥିଲେ ଯେ, ମୋର କିଛି ହେଲେ କାହାର ଦୋଷ ନାହିଁ । ଛକରେ ହଠାତ ଯୁବକଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲେ ଯୁବକ, ଚାରିଆଡେ ହୋ ହାଲ୍ଲା ଶୁଭୁଥିଲା ।
ତୁରନ୍ତ ସ୍ଥାନୀୟ ଲୋକେ, ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବକଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି । ପରିବାର ଲୋକଙ୍କ ସହ ଝଗଡା କରି ଯୁବକ ଏପରି କାର୍ଯ୍ୟ କରିଥିବା ସୂଚନା ମିଳିଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।