ଭୁବନେଶ୍ୱର: ମହାରାଷ୍ଟ୍ରର ଶିବସେନା ଭଳି ବିଜେଡ଼ି ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ । ନୂଆ ବିଜେଡ଼ି ଦଳ ଗଠନର ସଙ୍କେତ ଦେଇଛନ୍ତି ପୂର୍ବତନ ବିଜେଡ଼ି ନେତା ଅମର ଶତପଥୀ । ଯଦି ନିର୍ଦ୍ଦିଷ୍ଟ ନୀତି ଓ ବିଚାର ଉପରେ ଦଳ ଆଧାରିତ ନହେଲେ ଆଗକୁ ଲୋକେ ଆହୁରି ଦଳଠାରୁ ଦୂରେଇ ଯିବେ ବୋଲି କହିଛନ୍ତି ଅମର ।
ବିଜେଡ଼ିର ଦୁଇ ବରିଷ୍ଠ ନେତା ଏମ୍. ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକାଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ । ଦଳ ନିର୍ଦ୍ଦିଷ୍ଟ ନୀତି ଓ ବିଚାର ଉପରେ ଦଳ ଆଧାରିତ ନହେଲେ ସମୟ କ୍ରମେ ଲୋକେ ଆମଠାରୁ ଦୂରେଇ ଯିବେ । କେବଳ ରାୟଗଡ଼ାରେ ନୁହେଁ ଏହା ସାରା ରାଜ୍ୟରେ ବ୍ୟାପିଯିବ । ଲୋକଙ୍କ ଭରସା ଆଉ ପାଉ ନାହିଁ । ଯଦି ଭୁଲକୁ ନ ସୁଧାରିବେ ଏହା ସାରା ଓଡ଼ିଶାରେ ଦେଖାଯିବ । ଲୋକଙ୍କ ଆସ୍ଥା, ଅନାସ୍ଥାରେ ପରିବର୍ତ୍ତନ ହୋଇଯିବ ।
ସେହିପରି ନୂତନ ଆଞ୍ଚଳିକ ଦଳ ଗଠନ ନେଇ ମଧ୍ୟ ସେ ଆଶଙ୍କା ପ୍ରକଟ କରିଛନ୍ତି । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ବର୍ତ୍ତମାନର ବିଜେଡି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ବିଜେଡ଼ିରେ ଏକନାଥ ସିନ୍ଦେ ଗୋପରେ ବଢ଼ୁଛନ୍ତି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ । ସବୁ ଜିନିଷ ର ଏକ୍ସପାରୀ ଡେଟ ଥାଏ। ଔଷଧର ଏକ୍ସପାରୀ ଡେଟ ଗଲା ପରେ ତାହା କାମ କରେନି। ବିଜେଡ଼ିର ବି ଏକ୍ସପାରୀ ଡେଟ ପଳାଇଲାଣି। ପ୍ରତି ଔଷଧ ଓ ରାଜନୈତିକ ଚିନ୍ତା ଧାରାର ଏକ୍ସପାରୀ ଡେଟ ଥାଏ ବୋଲି ସେ କହିଛନ୍ତି ।
ଏହା ସହିତ ଅମର, ତଥାଗତ ଶତପଥୀଙ୍କ ମତକୁ ମଧ୍ୟ ସମର୍ଥନ ଜଣାଇଛନ୍ତି । ତଥାଗତ ଜଣେ ଅଭିଜ୍ଞ ଲୋକ, ସେ ଯଦି କହିଛନ୍ତି ଭାବିଚିନ୍ତି କହିଥିବେ ବୋଲି କହିଛନ୍ତି ଅମର ।