ବ୍ରହ୍ମପୁର: ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ଇଂଚର ଦାନ୍ତକାଠି । ସଫଳ ଅସ୍ତ୍ରୋପଚାର କରି ପେଟରୁ ବାହାର କଲେ ଡାକ୍ତର । ଅସାବଧାନତା ଯୋଗୁଁ ବୃଦ୍ଧ ଜଣଙ୍କ ଦାନ୍ତକାଠି ଗିଳି ଦେଇଥିବା ବେଳେ ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ଡାକ୍ତର ଖାଦ୍ୟନଳୀରୁ ଦାନ୍ତକାଠୀକୁ ବାହାର କରାଯାଇଛି ।
ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗାଁର ୮୦ ବର୍ଷିୟ କାମରାଜୁ ନାୟକ ଦାନ୍ତଘଷୁଥିବା ବେଳେ ଅସାବଧାନତା କାରଣରୁ ଦାନ୍ତକାଠିଟିକୁ ଗିଳି ଦେଇଥିଲେ । ପରେ ବହୁ ଚେଷ୍ଟା ସତ୍ତ୍ୱେ ଦାନ୍ତକାଠିଟି ବାହାରିନଥିଲା । ଯେଉଁଥିପାଇଁ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେବା ସହ ଖାଇବାରେ ସମସ୍ୟା ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ । ତେବେ ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ଏସୋଫାଗୋସ୍କୋପ ପଦ୍ଧତିରେ ଡାକ୍ତରମାନେ ତାଙ୍କ ଖାଦ୍ୟନଳୀରୁ ଦାନ୍ତକାଠିଟିକୁ ବାହାର କରିଥିଲେ । ଅସ୍ତ୍ରୋପଚାର ପରେ କାମରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବିଭାଗୀୟ ମୁଖ୍ୟ ଆସୋସିଏଟ ପ୍ରଫେସର ଡା.ସଂଜିତ କୁମାର ମିଶ୍ର କହିଛନ୍ତି ।