ନୂଆଦିଲ୍ଲୀ: ନେପାଳର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଏହା ପରେ କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଖୋଲାଯାଇଛି । ବୁଧବାର ଅପରାହ୍ନ ୪ଟାରେ କାଠମାଣ୍ଡୁ ବିମାନ ବନ୍ଦରକୁ ଯାତ୍ରୀଙ୍କ ପାଇଁ ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିମାନ ବନ୍ଦରରେ ଫସିରହିଥିବା ଭାରତୀୟ ପର୍ଯ୍ୟଟକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବିମାନ ଉଡ଼ାଣର ସମୟ ଜାଣିବା ପାଇଁ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରକାଶ ଥାଉକି, ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ହିଂସା ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀ କେ ପି ଓଲି ଓ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ପଦରୁ ଇସ୍ତଫା ଦେଇଥିଲେ । ଅଶାନ୍ତ ବାତାବରଣକୁ ଦେଖି କାଠମାଣ୍ଡୁ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଥିଲା । ଗତକାଲି ଦୁଇଟି ବିମାନ ମଝି ଆକାଶରୁ ଫେରିଆସିଥିଲା । ଏହା ସହିତ ଏୟାର ଇଣ୍ଡିଆର ଦିଲ୍ଲୀ-କାଠମାଣ୍ଡୁ-ଦିଲ୍ଲୀ ମାର୍ଗରେ ଚାଲୁଥିବା ଏଆଇ୨୨୩୧/୨୨୩୨, ଏଆଇ୨୨୧୯/୨୨୨୦ ଏବଂ ଏଆଇ୨୧୭/୨୧୮ ବିମାନକୁ ବାତିଲ କରାଯାଇଥିଲା ।