ନୂଆଦିଲ୍ଲୀ: ନେପାଳର ସ୍ଥିତି ଏବେ ବାଂଲାଦେଶ ଭଳି ହୋଇଯାଇଛି । ଜଣଙ୍କ ଇଙ୍ଗିତରେ ସମ୍ପୂର୍ଣ୍ଣ ନେପାଳ ଜଳୁଛି । ପ୍ରଧାନମନ୍ତ୍ରୀ ବାସଭବନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଷ୍ଟ୍ରପତି ଭବନ, ସଂସଦ ଯୁଆଡ଼େ ଚାହିଁବ ସେଠାରେ ନିଆଁ । ଏହାରି ମଧ୍ୟରେ କାଠମାଣ୍ଡୁ ବିମାନ ବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଫଳରେ ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିବା ଦୁଇଟି ବିମାନ ଫେରି ଆସିଛି ।
ଅଶାନ୍ତ ବାତ୍ତାବରଣ ଥିବା କାରଣରୁ ମଝି ଆକାଶରେ ଥିବା ବିମାନକୁ କାଠମାଣ୍ଡୁ ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମିଳିନଥିଲା । ଫଳରେ ବହୁତ ବିମାନ ଫେରି ଆସିଛନ୍ତି । ଭାରତର ଦୁଇଟି ବିମାନ ମଧ୍ୟ ଏଥିରେ ସାମିଲ ଅଛି । ଏୟାର ଇଣ୍ଡିଆର 6ଟି ବିମାନ ରଦ୍ଦ କରାଯାଇଛି । ଏ ନେଇ ଏୟାରଇଣ୍ଡିଆ ମୁଖପାତ୍ର ସୂଚନା ଦେଇଛନ୍ତି । ଦିଲ୍ଲୀ-କାଠମାଣ୍ଡୁ-ଦିଲ୍ଲୀ ମାର୍ଗରେ ଚାଲୁଥିବା ଏଆଇ୨୨୩୧/୨୨୩୨, ଏଆଇ୨୨୧୯/୨୨୨୦ ଏବଂ ଏଆଇ୨୧୭/୨୧୮ ବିମାନକୁ ବାତିଲ କରାଯାଇଛି । ଯାତ୍ରୀ ଏବଂ ଚାଳକଙ୍କ ସୁରକ୍ଷା ସର୍ବୋପରି ବୋଲି ଏୟାର ଇଣ୍ଡିଆ କହିଛି । ସେହିପରି କାଠମାଣ୍ଡୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଅବତରଣ କରିଛି ।
ପ୍ରକାଶ ଥାଉକି, ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ହିଂସା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କେ ପି ଓଲି ପଦରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀଙ୍କ ସମେତ ଦଶ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।