ନୂଆଦିଲ୍ଲୀ: ଦେଶରେ ସୋସିଆଲ ମିଡିଆକୁ ନିଷେଧ କରିବା ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ମହଙ୍ଗା ପଡିବାକୁ ଯାଉଛି । ଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ନିଜ ସରକାରର ଆସନ ଟଳମଳ ହେଲାଣି । କ୍ଷମତାସୀନ ନେପାଳି କଂଗ୍ରେସର ୯ ମନ୍ତ୍ରୀଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପାର୍ଟି ୟୁଏମଏଲର ମନ୍ତ୍ରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ କୌଣସି ବି ସ୍ଥିତିରେ ଇସ୍ତଫା ନ ଦିଅନ୍ତୁ ।
ନେପାଳି ମିଡିଆ ଅନୁଯାୟୀ, ଓଲି ଏହା ଉପରେ ଜୋର ଦେଉଛନ୍ତି ଯେ, ସୋମବାର ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ବାହ୍ୟ ଅସାମାଜିକ ତତ୍ୱ ଅନୁପ୍ରବେଶ କରିଥିଲେ । ଏହି କାରଣରୁ ସ୍ଥିତି ହିଂସାତ୍ମକ ହୋଇ ଉଠିଥିଲା । ସେ ମନ୍ତ୍ରୀମାନଙ୍କୁ ଭରସା ଦେଇଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦୁବାଇ ଯିବାକୁ ପ୍ରସ୍ତୁତି କରୁଛନ୍ତି ପିଏମ ଓଲି
ଏହା ମଧ୍ୟରେ ଆଉ ଏକ ଖୁଲାସା ହୋଇଛି ଯେ, ପ୍ରଧାନମନ୍ତ୍ରୀ କେପି ଓଲି ନିଜର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ । ବିରୋଧ ବଢିବା ସହ ଦେଶରେ ତାଙ୍କ ବିରୋଧରେ ଉତ୍ତେଜନା ବଢିବାରେ ଲାଗିଛି । ତେଣୁ ସେ ଚିକିତ୍ସା ବାହାନାରେ ଦୁବାଇ ଯିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ସେ ହିମାଳୟ ଏୟାରଲାଇନ୍ସର ବିକଳ୍ପ ଚୟନ କରିଛନ୍ତି ।
ଅନ୍ୟପଟେ ବିକ୍ଷୋଭକାରୀ ସୋମବାର ରାତିରେ ସୂଚନା ମନ୍ତ୍ରୀ ପୃଥ୍ୱୀସୁବା ଗୁରୁଙ୍ଗ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ବାସଭବନରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ । ଏହା ବ୍ୟତୀତ ଉତ୍ତ୍ୟକ୍ତ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଘର ଆଗକୁ ବଢୁଥିଲେ । ତେବେ କୌଣସି ସ୍ଥିତିରେ ସେମାନଙ୍କୁ ଅଟକାଇ ଦେବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ?
ସରକାର ଏହି ହିଂସାତ୍ମକ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ୧୫ ଦିନରେ ରିପୋର୍ଟ ପ୍ରଦାନ କରିବେ । ତେବେ ଓଲିଙ୍କୁ ସନ୍ଦେହ ଯେ, ଏହି କମିଟି ଏତେ ଶୀଘ୍ର କୌଣସି ଠୋସ୍ ରିପୋର୍ଟ ଦେଇ ପାରିବ । ଏହା ମଧ୍ୟରେ କର୍ଫ୍ୟୁ ଲାଗୁ ହେବା ପରେ ବି ମଙ୍ଗଳବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।
ନେପାଳରେ ସୋସିଆଲ ମିଡିଆ ବ୍ୟାନ, ଦୁର୍ନୀତି ଓ ଆର୍ଥିକ ସଙ୍କଟକୁ ନେଇ ଅଶାନ୍ତ ହୋଇ ଉଠିଛି ପରିବେଶ । ସରକାର ଫେସବୁକ, ଟୁଇଟର, ହ୍ୱାଟ୍ସଆପ ଓ ହୁଟ୍ୟୁବ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷେଧ କରିଛନ୍ତି । ଏହି କାରଣରୁ ଯୁବ ବର୍ଗ ଏହାରି ପ୍ରତିବାଦରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
Also read: ଉପରାଷ୍ଟ୍ରପତି ନିର୍ବାଚନରେ ଗୋଟିଏ ଝଟକାରେ ଏନଡିଏର ବଢିଲା ୧୧ ଭୋଟ୍, ବଡ ପାର୍ଟିର ସମର୍ଥନ ଘୋଷଣା