ନୂଆଦିଲ୍ଲୀ: ନେପାଳରେ ସୋସିଆଲ ମିଡିଆ ନିଷେଧାଦେଶ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଘଟିଛି । ସ୍ଥିତିଏବେ ବି ନିୟନ୍ତ୍ରଣ ବାହାରେ ରହିଛି । ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନ ଉପରେ ମଧ୍ୟ ହମଲା କରିଛନ୍ତି ଏବଂ ଖୁବ ଭଙ୍ଗାରୁଜା କରିଛନ୍ତି । ନେପାଳ ସରକାର ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ସମେତ ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଲଗାଇଥିଲେ । ଏହାରି ପ୍ରତିବାଦରେ ଘଟିଥିବା ହିଂସାରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ନେପାଳର ଗୃହ, ସ୍ୱାସ୍ଥ୍ୟ ଓ କୃଷି ମନ୍ତ୍ରୀ ସମେତ ଅନେକ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି । ଆଉ ଏହି ଆନ୍ଦୋଳନ ପଛର ପ୍ରମୁଖ ଚେହେରା ଏନଜିଓ ଚଲାଉଥିବା ସୁଦନ ଗୁରୁଙ୍ଗ ବୋଲି କୁହାଯାଉଛି ।
କିଏ ଏହି ସୁଦନ ଗୁରୁଙ୍ଗ ?
୩୬ ବର୍ଷୀୟ ଜଣେ ଯୁବକଙ୍କ ଗୋଟିଏ ସ୍ୱରରେ ଲକ୍ଷାଧିକ ଯୁବକ ଓ ଯୁବତୀ ନେପାଳର ସଡକକୁ ଓହ୍ଲାଇ ଆସିଛନ୍ତି । ସୁଦନ ଏନଜିଓ ଚଲାନ୍ତି, ଯାହାର ନାଁ ହାମି ନେପାଳ । ସେ ସର୍ବଦା କୁପ୍ରଶାସନ ବିରୋଧରେ ନିଜର ସ୍ୱର ଉଠାଇ ଆସିଛନ୍ତି । ଗୁରୁଙ୍ଗ ସକରାରଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାହୁଁଥିଲେ । ତେଣୁ ସେ ଛାତ୍ର-ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ବହି ଧରି ଆସିବାକୁ କହିଥିଲେ ।
୨୦୧୫ର ଭୂକମ୍ପ ବଦଳାଇ ଦେଲା ଜୀବନ
ସୁଦନ ଗୁରୁଙ୍ଗ ହାମି ନେପାଳ ଏନଜିଓର ମୂଳଦୁଆ ୨୦୧୫ରେ ଭୂକମ୍ପ ସମୟରେ ରଖିଥିଲେ । ଏହି ଭୂକମ୍ପରେ ତାଙ୍କର ଏକ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ପ୍ରଥମେ ସେ ଇଭେଣ୍ଟ ଅର୍ଗାନାଇଜର ଥିଲେ ।ଏନଜିଓ ଗଠନ କରିବା ପରେ ସେ ସାମାଜିକ କାର୍ଯ୍ୟର ଦାୟିତ୍ୱଭାର ଉଠାଇଥିଲେ । ସୁଦନ ଗୁରୁଙ୍ଗତ ଯୁବ ବର୍ଗଙ୍କ ମଧ୍ୟରେ ବେଶ ଲୋକପ୍ରିୟ ।
ସେ ସେପ୍ଟେମ୍ବର ୮ରେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ, ଭାଇ, ଭଉଣୀ ସେପ୍ଟେମ୍ବର ୮ ସେହି ଦିନ ଯେବେ ନେପାଳର ଯୁବପିଢି ଉଠିବେ ଏବଂ କହିବେ ବହୁତ ହୋଇଗଲା । ଏହି ସମୟ ଆମର ଏବଂ ଆମର ଲଢେଇ ଯୁବବର୍ଗଙ୍କ ପାଇଁ ହିଁ ହେବ । ଆମେ ନିଜର ଏକତା ପ୍ରଦର୍ଶନ କରିବା ଏବଂ ଶକ୍ତି ଦମ୍ଭ ଦେଖାଉଥିବା ଲୋକଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିବ । ତାଙ୍କର ଏହି ବାର୍ତ୍ତା ପରେ ଲକ୍ଷାଧିକ ସଂଖ୍ୟାରେ ଯୁବକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ପ୍ରଦର୍ଶନକାରୀ ସଂସଦ ଭବନ ପରିସରରେ ଧସେଇ ପଶିବାରୁ ଆନ୍ଦୋଳନ ହିଂସକ ରୂପ ନେଇଥିଲା । ସୁରକ୍ଷାବଳଙ୍କ ଗୁଳିମାଡରେ ଅତି କମରେ ୨୦ ଯୁବକଙ୍କ ମୃତ୍ୟୁ ଘଟିବା ସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଆଉ ଏହି ଆନ୍ଦୋଳନରେ ନେପାଳ ସରକାର ଦହଲି ଯାଇଛି ।