ନୂଆଦିଲ୍ଲୀ: ନେପାଳର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସରକାରଙ୍କ ଗୋଟିଏ ନିଷ୍ପତ୍ତି ତାଙ୍କୁ ଗାଦିଚ୍ୟୁତ କରାଇ ଦେଇଛି । ପ୍ରଧାନମନ୍ତ୍ରୀଙ୍କ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ଏବେ ରାଷ୍ଟ୍ରପତି ମଧ୍ୟ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କହିବାକୁ ଗଲେ ନେପାଳ ଏବେ ମୂରବୀ ଶୂନ୍ୟ ହୋଇପଡ଼ିଛି । ପ୍ରତିବାଦକାରୀମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ବ୍ୟକ୍ତିଗତ ବାସଭବନକୁ କବଜା କରି ଭଙ୍ଗାରୁଜା କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ।
ନେପାଳରେ ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଏବଂ ବୈଦେଶିକ ମନ୍ତ୍ରୀ ଅର୍ଜୁନ ରାଣା ଦେଉବାଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଛନ୍ତି । ଖାଲି ସେତିକି ନୁହେଁ ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ପତ୍ନୀ ରବି ଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ । ରବି ଲକ୍ଷ୍ମୀଙ୍କ ପାରିବାରିକ ପୃଷ୍ଠଭୂମି ନେବାର ସମାଜ ସହିତ ଜଡିତ, ଯାହା ନେପାଳର ଏକ ପ୍ରମୁଖ ସମ୍ପ୍ରଦାୟ। ତାଙ୍କୁ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟରେ ଝଲନାଥ ଖାନଲଙ୍କ ସହିତ ଦେଖିବାକୁ ମିଳୁଥିଲା । ଏହା ବ୍ୟତୀତ ଉପପ୍ରଧାନମନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଉଡେଲଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।
ଆଜି ସକାଳଠାରୁ ଜେନ-ଜିଙ୍କ ପ୍ରତିବାଦ ଜାରି ରହିଛି । ରାଜଧାନୀ କାଠମାଣ୍ଡୁ ସମେତ ଅନେକ ଅଞ୍ଚଳରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସୁଛି । ଏପରିକି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ଗୃହମନ୍ତ୍ରୀ ରମେଶ ଲେଖକ, କୃଷିମନ୍ତ୍ରୀ ରାମନାଥ ଅଧିକାରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ପାଞ୍ଚ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଲା। ତଥାପି ପରିସ୍ଥିତି ଶାନ୍ତ ହେଉ ନାହିଁ ।
ଯୁବପୀଢ଼ିଙ୍କୁ ଆନ୍ଦୋଳନକୁ ଆହ୍ୱାନ କରିଥିବା ଏନଜିଓ ‘ହାମି ନେପାଳ’ ପ୍ରତିବାଦକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି । ଏନଜିଓ କହିଛି ଯେ ସରକାରର ପତନ ହୋଇଛି । ତେଣୁ ହିଂସାରୁ ବିରତ ରୁହନ୍ତୁ ।
ନେପାଳ ସରକାର ୨୬ଟି ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସୋମବାର ଦିନ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି।