ନୂଆଦିଲ୍ଲୀ: ନେପାଳରେ ଜାରି ରାଜନୈତିକ ଓ ସାମାଜିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ଏବେ ସେନା ମୋର୍ଚ୍ଚା ସମ୍ଭାଳିଛି । ଆଗାମୀ ଦିନରେ ସ୍ଥିତି କେଉଁ ଆଡକୁ ଗତି କରିବ ଏହାକୁ ନେଇ କହିବା ମୁସ୍କିଲ । ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଲିଙ୍କ ଇସ୍ତଫା ମଞ୍ଜୁର କରି ନିଆଯାଇଛି । ଯେ ପର୍ଯ୍ୟନ୍ତ ଏହି ପଦରେ ବିକଳ୍ପ ମିଳି ନାହାନ୍ତି ସେ ପର୍ଯ୍ୟନ୍ତ ସେ ଏପରେ ରହିବେ । ଏହା ମଧ୍ୟରେ ନେପାଳର ଆଗାମୀ ପ୍ରଧାନମନ୍ତ୍ରୀଙ୍କ ଦାବିଦାର ଭାବେ ଏ ପର୍ଯ୍ୟନ୍ତ ଅନେକ ନାଁ ସାମ୍ନାକୁ ଆସି ସାରିଛି ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସାମ୍ବିଧାନିକ ବିଶେଷଜ୍ଞ ଡ. ଭୀମରଜୁନ ଆଚାର୍ଯ୍ୟ କହିଛନ୍ତି ଆମେ ଏମିତି ସ୍ଥିତିରେ ଅଛୁ ଯାହାର କଳ୍ପନା ସାମ୍ବିଧାନିକ ନିର୍ମାତା କରି ନ ଥିଲେ । ସମାଧାନ କେବଳ ସମସ୍ତ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ହୋଇ ପାରିବ । ମାତ୍ର ଏଥିପାଇଁ ପ୍ରଥମେ ଆନ୍ଦୋଳନ ଶାନ୍ତ ହେବା ସ୍ଥିତି ସ୍ୱାଭାବିକ ହେବା ଜରୁରୀ । ଜନତାଙ୍କ ଜୀବନ ଓ ଅଧିକାର ସୁରକ୍ଷା ରହିବା ଉଚିତ୍ । ଅନେକ ବିଶେଷଜ୍ଞଙ୍କ କହିବା କଥା ୧୦ ବର୍ଷର ପୁରୁଣା ସମ୍ବିଧାନ ବ୍ୟବହାରିକ ଭାବେ ଅପ୍ରାସଙ୍ଗିକ ହୋଇ ସାରିଛି । ଅନ୍ତରୀଣ ବ୍ୟବସ୍ଥା ହିଁ ପରବର୍ତ୍ତୀ ପଦକ୍ଷେପ ହେବା ଉଚିତ୍ ।
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ?
କେପି ଶର୍ମା ଓଲିଙ୍କ ପରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ କିଏ ହେବ ? ନେପାଳରେ ସଂପ୍ରତି ଏହା ଏକ ବଡ ପ୍ରଶ୍ନ ହୋଇ ରହିଛି । ବିକ୍ଷୋଭକାରୀଙ୍କ କ୍ରୋଧ ଏବେ ବି ଦଳର ନେତାଙ୍କ ଉପରେ ରହିଛି । ଏଥିପାଇଁ କୌଣସି ବି ରାଜନୈତିକ ଦଳର ଚେହେରା ଉପରେ ସହମତି ହେବା କଠିନ ଲାଗୁଛି । ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କି ଦୁର୍ନୀତି ବିରୋଧରେ ଖୋଲାଖୋଲି କହି ଆସିଛନ୍ତି ଏବଂ ସେ ଜେନ ଜି ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ଚଳାଇଛନ୍ତି । ତାଙ୍କ ନାଁ ବର୍ତ୍ତମାନ ସବୁଠୁ ଆଗରେ ରହିଛି ।
ତାଙ୍କର ବ୍ୟତୀତ କଲ୍ୟାଣ ଶ୍ରେଷ୍ଠଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଦୁହିଁଙ୍କ ବୟସ ୭୦ ବର୍ଷ ଉପରେ । ସମୀକ୍ଷକଙ୍କ କହିବା କଥା ଯୁବବର୍ଗଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନରେ ବୃଦ୍ଧାଙ୍କ ନେତୃତ୍ୱ ନେବା ସେମାନଙ୍କ ଆଭିମୁଖ୍ୟ ବିରୋଧୀ ହେବ । ପ୍ରଥମେ ରାପର ଏବଂ ପରେ କାଠମାଣ୍ଡୁର ମେୟର ହୋଇଥିବା ୩୫ ବର୍ଷୀୟ ବାଲେନ ଶାହଙ୍କ ନାଁ ଉପରେ ମଧ୍ୟ ଚର୍ଚ୍ଚା ଚାଲିଛି । ବାଲେନ ଶାହ ଓଲି ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ୱର ମୁଖର କରି ଆସିଛନ୍ତି । ଜେନ ଜି ଆନ୍ଦୋଳନକୁ ସେ ସମର୍ଥନ କରିଛନ୍ତି । ହେଲେ ସେ ସ୍ପଷ୍ଟ କରି ନାହାନ୍ତି ଯେ, ସେ ଆନ୍ଦୋଳନର ନେତୃତ୍ୱ ନେବେ ନାହିଁ ।