ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଭୁବନେଶ୍ୱର ନ୍ୟୁସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦେବା ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ଟି ବିଭାଗର ୫ ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ମିଳିଛି ।
ଭୁବନେଶ୍ୱର ପାଇଁ ନୂଆ ସହର ଉନ୍ନୟନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବିଡିଏ-ଏସଜେଆଇ ମିଳିତ ଭାବେ ନ୍ୟୁସିଟି ବିକଶିତ କରିବେ । ୧୫ ବର୍ଷରେ ଛିଡା ହେବ ସଂପୂର୍ଣ୍ଣ ନ୍ୟୁସିଟି । କ୍ୟାବିନେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୧୧୮ କୋଟି ୯୮ ଲକ୍ଷ ଟଙ୍କାରେ ୪୨୭ ଆମ୍ବୁଲାନ୍ସ କ୍ରୟକୁ ମଞ୍ଜୁରୀ ମିଳିଛି ।
ସବୁଠୁ ବଡ ନିଷ୍ପତ୍ତି କ୍ରମେ ବିଡିଓମାନଙ୍କର ବିଲ୍ ପାସ୍ କରିବାର ଆର୍ଥିକ କ୍ଷମତା ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କନିଷ୍ଠ ଓ ସହକାରୀ ଯନ୍ତ୍ରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ । ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ୨୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଏହି ମଞ୍ଜୁରୀ ପ୍ରଦାନ କରିପାରିବେ । ନିର୍ବାହୀ ଯନ୍ତ୍ରୀ ଓ ଅତିରିକ୍ତ ନିର୍ବାହୀ ଅଧିକାରୀମାନେ ୨୦ଲକ୍ଷରୁ ୧କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ କରିପାରିବେ । ୪ କୋଟି ଟଙ୍କା ଯାଏ ପ୍ରକଳ୍ପ ଅନୁମୋଦନ ଦେଇପାରିବେ ଏସଇ। ୪ କୋଟିରୁ ଅଧିକ ପ୍ରକଳ୍ପ ଦେଇପାରିବେ ମୁଖ୍ୟଯନ୍ତ୍ରୀ।