ପୁରୀ: ଆଜି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ରାତି ୧୦ଟା ପରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଏହି ନୀତି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିପାରିବେ । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଲସି ଉଠିଥାଏ ।
ବନକଲାଗି ନୀତି ଶ୍ରୀଜୀଉଙ୍କ ଏକ ଗୁପ୍ତନୀତି । ସେଥିପାଇଁ ଏହି ନୀତି ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ସମ୍ପନ୍ନ କରାଯାଏ। ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଏ । ଉକ୍ତ ସେବକମାନେ ସେଥିପାଇଁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଏ ।