ନୂଆଦିଲ୍ଲୀ: ହିଂସାକାଣ୍ଡର ଫାଇଦା ଉଠାଇ ନେପାଳ ଜେଲରୁ ଫେରାର ମାରିଥିବା କଏଦୀମାନେ ଏବେ ଭାରତ ମୁହାଁ ହୋଇଛନ୍ତି । ସଶସ୍ତ୍ର ସୀମା ବଳ(ଏସଏସବି) ଫେରାର ହୋଇଥିବା ୩୫ କଏଦୀଙ୍କୁ ଭାରତ-ସୀମାରେ ଧରିବାରେ ସଫଳ ହୋଇଛନ୍ତି । ଅଧିକରୀଙ୍କ ଅନୁସାରେ, ଏଥିରୁ ୨୨ କଏଦୀଙ୍କୁ ଉତ୍ତର ପ୍ରଦେଶରେ, ୧୦ କଏଦୀଙ୍କୁ ବିହାରରେ ଏବଂ ତିନି କଏଦୀଙ୍କୁ ପଶ୍ଚିମବଙ୍ଗରେ ଅଟକ ରଖାଯାଇଛି । ନେପାଳରୁ ଫେରାର ମାରିଥିବା କଏଦୀଙ୍କ ଧରା ପଡିବ ସଂଖ୍ୟା ଏବେ ଆହୁରି ବଢିପାରେ । ତେଣୁ ସୀମାରେ ବର୍ତ୍ତମାନ କଡା ନଜର ରଖାଯିବା ସହ ସୁରକ୍ଷା କଡାକଡି କରାଯାଇଛି ।
ଏସଏସବି ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଭାରତ-ନେପାଳ ସୀମାରେ ୨୨ କଏଦୀଙ୍କୁ ଧରିଛନ୍ତି । ଏଥିରେ ୫ କଏଦୀଙ୍କୁ ସେପ୍ଟେମ୍ବର ୧୦ରେ ଏକ କାର୍ଯ୍ୟାନୁଷ୍ଠାନରେ ଅଟକ ରଖାଯାଇଛି । ଏହି ସବୁ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏସବୁ କଏଦୀ ନେପାଳର କାଠମାଣ୍ଡୁ ସ୍ଥିତ ଡିଲ୍ଲିବଜାର ଜେଲରୁ ଫେରାର ହୋଇଥିଲେ । ସେମାନଙ୍କ ନିକଟରୁ କୌଣସି ବୈଧ୍ୟ ପରିଚୟ ପତ୍ର ମିଳି ନ ଥିଲା । ଏହା ପରେ ଏସଏସବି ଫେରାର କଏଦୀଙ୍କୁ ଅଟକ ରଖି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, କଏଦୀମାନେ ନେପାଳରେ ଚାଲିଥିବା ଦୁର୍ନୀତି ବିରୋଧୀ ପ୍ରଦର୍ଶନ ସମୟରେ ଜେଲରେ ଉତ୍ପନ ଅରାଜକତାର ଫାଇଦା ଉଠାଇ ଫେରାର ମାରିଥିଲେ ।
ଭାରତ-ନେପାଳ ମଧ୍ୟରେ ୧୭୫୧ କିଲୋମିଟରର ଲମ୍ବା ଖୋଲା ସୀମା ରହିଛି । ଏହା ଉପରେ ନଜର ରଖିବା ପାଇଁ ସଶସ୍ତ୍ର ସୀମା ବଳ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ସମସ୍ତ ୨୬ ପାରସ୍ପରିକ ମାର୍ଗ, ୧୫ ଯାତାୟତ ମାର୍ଗ, ଛଅ ଚେକ ପୋଷ୍ଟ ଏବଂ ୧୧ ସୀମା ଚେକ ପୋଷ୍ଟରେ ହାଇ ଆଲର୍ଟ ଜାରି କରାଯାଇଛି । ଏସଏସବିର ଗୁଇନ୍ଦା ୟୁନିଟ ସୀମାବର୍ତ୍ତୀ ଗାଁ ଗୁଡିକ ଉପରେ କଡା ନଜର ରଖିଛନ୍ତି । ଯଦ୍ୱାରା ଅନୁପ୍ରବେଶ ରୋକାଯାଇ ପାରିବ ।
Also read: ନେପାଳରେ ପୁଣି ହିଂସା: ଜେଲ୍ରୁ ପଳାୟନ କରୁଥିବା କଏଦୀଙ୍କ ଉପରେ ଗୁଳି ଚଳାଇଲା ସେନା