ନୂଆଦିଲ୍ଲୀ: ଏସିଆ କପ୍ ଦୁବାଇରେ ଜାରି ରହିଛି । ସେପ୍ଟେମ୍ବର ୧୪ରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମୁକାବିଲା ହେବ । ଯାହାକୁ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହିତ ଚାହିଁକି ବସିଛନ୍ତି । କିନ୍ତୁ ଏହି ମ୍ୟାଚକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଜାତୀୟ ସ୍ୱାର୍ଥଠାରୁ ମନୋରଞ୍ଜନ ବଡ଼ ନୁହେଁ ବୋଲି ଆବେଦନରେ କୁହାଯାଇଛି ।
ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଉର୍ବଶୀ ଜୈନଙ୍କ ନେତୃତ୍ୱରେ ଚାରି ଜଣ ଆଇନ ଛାତ୍ର ସ୍ନେହା ରାଣୀ, ଅଭିଷେକ ବର୍ମା ଏବଂ ମହମ୍ମଦ ଅନସ ଚୌଧୁରୀ ଏହି ଆବେଦନ ଦାଖଲ କରିଛନ୍ତି । ଆବେଦନକାରୀଙ୍କ କହିବା ଅନୁଯାୟୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ସହିତ ଏକ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବା ଜାତୀୟ ମର୍ଯ୍ୟାଦା ଏବଂ ଜନଭାବନାର ବିପରୀତ ବାର୍ତ୍ତା ଦେବ । ଜାତୀୟ ସ୍ୱାର୍ଥ, ନାଗରିକଙ୍କ ଜୀବନ କିମ୍ବା ସଶସ୍ତ୍ର ବାହିନୀର ବଳିଦାନରୁ ଉର୍ଦ୍ଧ୍ୱରେ କ୍ରିକେଟକୁ ରଖାଯାଇପାରିବ ନାହିଁ । ଏହି ମ୍ୟାଚ୍ ସେନା ଏବଂ ସହିଦଙ୍କ ପରିବାରର ଭାବନାକୁ ଅପମାନିତ କରିବ । ଜାତୀୟ କ୍ରୀଡା ଶାସନ ଆଇନ, ୨୦୨୫ ତୁରନ୍ତ କାର୍ଯ୍ୟକାରୀ କରାଯାଉ, ଯାହା ଦ୍ଵାରା ଭବିଷ୍ୟତରେ ଏପରି ଘଟଣା ରୋକାଯାଇପାରିବ ବୋଲି ଆବେଦନରେ କୁହାଯାଇଛି । ।
ଆବେଦନରେ ଆହୁରି ମଧ୍ୟ କୁହାଯାଇଛି, "ଦେଶଗୁଡ଼ିକ ମଧ୍ୟରେ କ୍ରିକେଟ୍ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ । କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ପରେ, ଯେତେବେଳେ ଆମର ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ଆମର ସୈନିକମାନେ ସବୁକିଛି ବାଜିରେ ଲଗାଇ ଦେଇଥିଲେ । ତେଣୁ ପାକିସ୍ତାନ ସହିତ ଖେଳିବା ବିପରୀତ ବାର୍ତ୍ତା ଦେବ ଯେ ଯେତେବେଳେ ଆମର ସୈନିକମାନେ ସେମାନଙ୍କର ଜୀବନ ବଳିଦାନ ଦେଉଛନ୍ତି, ଆମେ ସେହି ଦେଶ ସହିତ କ୍ରୀଡ଼ା ପାଳନ କରୁଛୁ ଯିଏ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି।
ସେପଟେ ସୋସିଆଲ୍ ମିଡିଆରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ଏହି ଭାରତ ପାକିସ୍ତାନ ମ୍ୟାଚ୍ ବୟକଟ୍ କରିବାକୁ ଆହ୍ୱାନ କରାଯାଉଛି । ଏହି ନିଷ୍ପତ୍ତି ପାଇଁ ବିସିସିଆଇକୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି ।