ଭୁବନେଶ୍ୱର: ରାଜ୍ୟରେ ୟୁରିଆ ସାରର କୌଣସି ସଙ୍କଟ ନାହିଁ । ଯେଉଁ ଜିଲ୍ଲାରେ ସାରର ଆବଶ୍ୟକତା ରହିଛି ଆସନ୍ତା ୧୫ ତାରିଖ ମଧ୍ୟରେ ପହଁଚାଯିବ । ବୈଠକ ପରେ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି ।
ସାର ସମସ୍ୟା ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ସ୍ଥାନରେ ସାର ପାଇଁ ଚାଷୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିବା ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସାର ସମସ୍ୟା ନେଇ ଆଲୋଚନା ହୋଇଛି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ସାରର ଅଭାବ ନାହିଁ । ଯେତେ ସାର ଆବଶ୍ୟକତା ରହିଛି ସମସ୍ତ ଜିଲ୍ଲାରେ ପହଁଚାଯାଉଛି । ଆଉ ୮ରୁ ୧୦ ଦିନ ସାର ଦରକାର ପଡ଼ିବ । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଅଧିକ ସାରର ଚାହିଦା ରହିଛି । ଗତ ବର୍ଷ ତୁଳନାରେ ସାର ଚାହିଦା ଅଧିକ ରହିଛି । ଏ ନେଇ କେନ୍ଦ୍ର ସରକାର ସହିତ ମଧ୍ୟ ଆଲୋଚନା ହୋଇଛି । ଆସନ୍ତା ୧୫ ତାରିଖ ମଧ୍ୟରେ ଆବଶ୍ୟକତା ଅନୁସାରରେ ସମସ୍ତ ଜିଲ୍ଲାରେ ସାର ପହଁଚିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ।
ଯେଉଁଠି କଳାବଜାରୀ ହେଉଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 58ଟି ସ୍ଥାନରେ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗଣମାଧ୍ୟମ ମଧ୍ୟ ଦାୟିତ୍ୱବାନ ହୋଇ ଉକ୍ତ ଲୋକକୁ ସାମ୍ନାକୁ ଆଣିବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।