ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଡ଼କ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଉଛନ୍ତି, ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ବିଷୟରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନ କରୁନାହାନ୍ତି । ୨୦୨୪ରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ଏଭଳି ତଥ୍ୟ କିଛି ସାମ୍ନାକୁ ଆସିଛି ।
ସଡ଼କ ସୁରକ୍ଷା ନିୟମ ପାଳନର ପ୍ରାଥମିକ ସ୍ତର ହେଉଛି ଦୁଇ ଚକିଆରେ ଦୁଇରୁ ଅଧିକ ନ ଯିବା ଏବଂ ଉଭୟ ଚାଳକ ଓ ଆରୋହୀ ହେଲମେଟ୍ ନିଶ୍ଚୟ ପିନ୍ଧିବା। ଏ କଥା ପ୍ରାୟ ସମସ୍ତେ ଜାଣିଛନ୍ତି । କିନ୍ତୁ ହେଲମେଟ୍ ପିନ୍ଧିବାରେ ଅବହେଳା କରିବା ମହଙ୍ଗା ସାବ୍ୟସ୍ତ ହେଉଛି, ତାହା ୨୦୨୪ର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି। କାରଣ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର କାରଣ ଅନୁଧ୍ୟାନରୁ ଜଣାପଡ଼ିଛି, ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତେବେ ସବୁଠୁ ବଡ଼ କଥା ହେଉଛି, ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି।
୨୦୨୪ରେ ରାଜ୍ୟରେ ଦୁଇଚକିଆ ଯାନରେ ୫୪୯୦ ଦୁର୍ଘଟଣା ଘଟିଥିବା ବେଳେ ୩ହଜାର ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ହେଲମେଟ୍ ପିନ୍ଧିନଥିବା କାରଣରୁ ୧ହଜାର ୬୯୬ଜଣଙ୍କ ପ୍ରାଣହାନୀ ଘଟିଛି । ଯଦିଓ ୩ବର୍ଷର ତଥ୍ୟ ଦେଖିବା, ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ କେବଳ ଯଦି ହେଲମେଟ୍ ପିନ୍ଧିଥାନ୍ତେ ତେବେ ୫ହଜାର ୧୬୦ଜଣଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ।
ଦୁର୍ଘଟଣାରେ ଜୀବନରକ୍ଷା କ୍ଷେତ୍ରରେ ହେଲମେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ପୋଲିସ, ପ୍ରଶାସନର ସହଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବରେ ଏନଫୋର୍ସମେଣ୍ଟରେ ହେଲମେଟ୍ ଚେକିଂକୁ ଗୁରୁତ୍ୱ ଦିଅନ୍ତି । ୨୦୨୪ ବର୍ଷରେ ୭,୮୯,୦୧୫ଟି ହେଲମେଟ୍ ନିୟମ ଉଲ୍ଲଙ୍ଘନ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ହେଲମେଟ୍ ବ୍ୟବହାର ଉପରେ ଅଧିକରୁ ଅଧୂକ ସଚେତନତା ସୃଷ୍ଟି ଏବଂ ଏନଫୋର୍ସମେଣ୍ଟ ବୃଦ୍ଧି ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତି ନେଇଛି।