ପୁରୀ : ନେପାଳରେ ପୁଣି ଫେରିବ ଶାନ୍ତି, ସୁଧୁରିବ ପରିସ୍ଥିତି । ଯେଉଁ ହିଂସାର ନିଆଁ ହୁତୁହୁତୁ ହୋଇଛି ଜଳୁଥିଲା ତାହା ଯଦିଓ ଲିଭି ଲିଭି ଆସୁଛି ତେବେ ଏହି ସମୟରେ ନେପାଳକୁ ନିଜ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏବଂ ନେପାଳରେ ପୁନଃ ଶାନ୍ତି ପ୍ରତିଷ୍ଠା କରିବାକୁ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜ ବାଲୁକା କଳା ମାଧ୍ଯମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳା କରି ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ କହିଛନ୍ତି କି ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ଯମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି ଥରେ ସେହି ସମୟ ଫେରିଆସୁ ।
ତେବେ ନେପାଳରେ ଧିରେଧିରେ ସବୁକିଛି ହେଉଛି । ରାତିରେ ନାଇଟ କର୍ଫ୍ୟୁ ଥି୍ବା ବେଳେ ଆଜି ସକାଳେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯଦିଓ ପୂର୍ବ ପରି ପୂରା ଦୋକାନ ବଜାର ଖୋଲିନି ମାତ୍ର କାଁ ଭାଁ ଖୋଲିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଗଡିଛି । ସଫେଇ କର୍ମଚାରୀ ରାସ୍ତା ସଫେଇ କରିଛନ୍ତି । ଗତ ଦୁଇ ଦିନ ତଳେ ଜଳୁଥିବା ନେପାଳ ଛାତିରେ ଆଜି ବର୍ଷା ଟୋପା ପଡିଛି । ସକାଳେ ବର୍ଷା ହେବା ସହ କାଠମାଣ୍ଡୁରେ ଜନଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ପୂର୍ବରୁ ରାସ୍ତା ଦୂର ଦୂର ଯାଏଁ ଶୂନଶାନ ଦେଖିବାକୁ ମିଳୁଥିବା ବେଳେ ଏବେ ଲୋକେ କାଁ ଭାଁ ଲୋକେ ଯାତାୟତ କରୁଛନ୍ତି । ଜରୁରୀକାଳୀନ ସେବାରେ ଥିବା ଲୋକେ ନିଜ ନିଜ କର୍ମସ୍ଥଳୀକୁ ଯାଉଥିବା ଦେଖିବାକୁ ମିଳିଛି ।