କେନ୍ଦ୍ରାପଡା: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ରାଜନଗର ବନଖଣ୍ଡର କନିକା ଓ ରାଜନଗର ରେଞ୍ଜରେ ଏହି ଗଣନା କରାଯାଇଥିଲା । କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡିଆରେ ୧୩ ହଜାର ୨ଶହ ୬୧ଟି ବସା ଚିହ୍ନଟ କରାଯାଇଛି। ଲକ୍ଷ୍ମୀପ୍ରସାଦଡିଆରେ ୧୩ହଜାର ୫ଶହ ୯୪ଟି ବସା, ଦୁର୍ଗାପ୍ରସାଦଡିଆରେ ୫୯ଟି ବସା ଓ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମା ବାହାରେ ବାଲିଡିଆରେ ୭୩୨ଟି ବସା ଚିହ୍ନଟ ହୋଇଛି। ମୋଟ ୧୪୦୯ଟି ଗଛରେ ୨୭,୬୪୬ଟି ବସାରେ ୧,୩୦,୭୯୬ଟି ପକ୍ଷୀ ଗଣନା କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ମସିହାରେ ୯୭,୮୬୬ଟି ପକ୍ଷୀ, ୨୦୨୧ରେ ୧,୦୮,୬୩୯, ୨୦୨୨ରେ ୧,୧୬,୦୭୦, ୨୦୨୩ରେ ୧,୨୩,୮୬୭, ୨୦୨୪ରେ ୧,୩୦,୧୨୩ ପକ୍ଷୀ ଗଣନା କରାଯାଇଥିଲା। ବର୍ଷାଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ବଂଶବିସ୍ତାର କରିବା ପାଇଁ ଗେଣ୍ଡାଳିଆ, କାପରଖାଇ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ପାଣିକୁଆ, ଖଇରା, ଅନ୍ଧାରୁଆ ବଗ ପ୍ରଭୃତି ୧୦ ପ୍ରଜାତିର ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ଏହି ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ ସର୍ବାଧିକ ଥିବା ବେଳେ ପାଣିକୁଆ ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୬୭୩ ପକ୍ଷୀ ଅଧିକ ଆସିଥିବା ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି।