ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୧୮ରୁ ୨୫ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଏଥର ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି। ଏନେଇ ବାଚସ୍ପତିଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ସେପ୍ଟେମ୍ବର ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୃହକୁ କେମିତି ସୁରୁଖୁରୁରେ ଚଳାଯିବ, କେମିତି ସବୁ ପ୍ରସଙ୍ଗରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କୁ ଯେମିତି ପୂରା ସୁଯୋଗ ମିଳିବ, ସେ ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ।
ତେବେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଭରିହୋଇ ରହିଛି ବିଭିନ୍ନ ପ୍ରସଙ୍ଗ। ନାରୀ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘାଇଲା କରିବ ବିରୋଧୀ। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟର କୋଣ ଅନୁକୋଣରୁ ଯୁବତୀଙ୍କୁ ଜାଳିଦେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ସରକାର। ଏହି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ହଙ୍ଗାମା କରିବାକୁ ଜୋରଦାର ପ୍ରସ୍ତୁତ ହେଲେଣି ।
ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ। ଏନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି। ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି। ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ତଥ୍ୟ ଯୋଗାଇବା କ୍ଷେତ୍ରରେ କର୍ମଚାରୀ ସଦର ମହକୁମାରେ ରହିବ।