ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଏବଂ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି । ଏକ ମିଳିତ ଅଭିଯାନରେ ପାକିସ୍ତାନ ଲିଙ୍କ୍ ଥିବା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଦିଲ୍ଲୀ, ମୁମ୍ବାଇ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ହାଇଦ୍ରାବାଦରେ ଚଢ଼ଉ କରାଯାଇଥିଲା । ପ୍ରାୟ ଆଠ ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା କରାଯିବା ପରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଅସରଫ ଦାନିଶ , ସୁଫିୟାନ ଆବୁବକର, ଅଫତାବ ଅନସାରୀ, ହୁଜାଫିୟା ୟମନ ଓ କମରାନ କ୍ୟୁରେଶୀକୁ ଗିରଫ କରାଯାଇଛି । ଯେଉଁଥିରେ ଦିଲ୍ଲୀରୁ ଦୁଇଜଣ ଏବଂ ମଧ୍ୟପ୍ରଦେଶ, ହାଇଦ୍ରାବାଦ ଏବଂ ରାଞ୍ଚିରୁ ଜଣେ ଲେଖାଏଁ ଅଛନ୍ତି । ମୁମ୍ବାଇର ବାସିନ୍ଦା ଅଫତାବ୍ ଏବଂ ସୁଫିଆନ୍ ଭାବରେ ଚିହ୍ନଟ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ସ୍ପେଶାଲ ସେଲ୍ ମୁମ୍ବାଇରେ ସେମାନଙ୍କର ଆଡ୍ଡା ଉପରେ ମଧ୍ୟ ଚଢାଉ କରି ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ତିଆରି ସାମଗ୍ରୀ ଜବତ କରିଛି।
ତଦନ୍ତକାରୀଙ୍କ ଅନୁଯାୟୀ, ଏହି ଗୋଷ୍ଠୀର ପ୍ରମୁଖ ସଦସ୍ୟ ହେଉଛି ଅସରଫ ଦାନିଶ । ଯିଅ ଏନକ୍ରିପ୍ଟେଡ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନ-ଭିତ୍ତିକ ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ ବଜାୟ ରଖି ଭାରତରୁ ଏହି ମଡ୍ୟୁଲ୍ ପରିଚାଳନା କରୁଥିଲା । ଦାନିଶଙ୍କ ନିକଟରୁ, ସ୍ପେଶାଲ୍ ସେଲ୍ ଏକ ଦେଶୀ ନିର୍ମିତ ପିସ୍ତଲ, ଜୀବନ୍ତ ଗୁଳି, ହାଇଡ୍ରୋକ୍ଲୋରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ସଲଫର୍ ପାଉଡର ସମେତ ରାସାୟନିକ ପଦାର୍ଥ, ତମ୍ବା ଚାଦର, ବଲ୍ ବିୟରିଂ, ଷ୍ଟ୍ରିପ୍ ତାର, ଇଲେକ୍ଟ୍ରୋନିକ୍ ସର୍କିଟ୍, ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ନଗଦ ଜବତ କରିଛି । ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି ପାଇଁ ଉଦ୍ଦିଷ୍ଟ ଥିଲା।