ନୂଆଦିଲ୍ଲୀ: ଏସିଆ କପର ବିଗୁଲ ବାଜି ସାରିଛି । ନିଜର ପ୍ରଥମ ମ୍ୟାଚ୍ ଜିତି ସାରିଛି ଭାରତ । ସେପ୍ଟେମ୍ବର ୧୪ରେ ପାକିସ୍ତାନ ସହ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଏହି ମ୍ୟାଚ୍ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ପିଟିସନ । ଆଉ ଏହା ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ ବିଜୟ ବିଷ୍ନୋଇଙ୍କ ଖଣ୍ଡପୀଠ ଏହି ପିଟିସନକୁ ଗମ୍ଭୀରତା ସହ ନେବାକୁ ମନା କରି ଦେଇଛନ୍ତି । ଜଷ୍ଟିସ ବିଜୟ ବିଷ୍ନୋଇ ସ୍ପଷ୍ଟ କରିଛନ୍ତି ଯେ, ଏତେ ତର ତର କାହିଁକି ? ଏହା ଏକ ମାତ୍ର, ହେବାକୁ ଦିଅନ୍ତୁ ।
ଯେବେ ଓକିଲ ଯୁକ୍ତି ବାଢିଲେ ଯେ, ରବିବାର ମୟାଚ୍ ଏବଂ ଶୁକ୍ରବାର ଶୁଣାଣି ନ ହେଲେ ପିଟିସନ ନିରର୍ଥକ ହୋଇଯିବ । ଏହା ଉପରେ ଜଷ୍ଟିସ ମାହେଶ୍ୱରୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ମ୍ୟାଚ୍ ରବିବାର ଖେଳାଯିବ ? ଆମେ ଏଥରେ କଣ କରି ପାରିବୁ ? ରହିବାକୁ ଦିଆଯାଉ, ମ୍ୟାଚ୍ ହେବାକୁ ଦିଆଯାଉ ।
ଯାଚିକାରେ କଣ କୁହାଯାଇଥିଲା ?
ଏହି ଯାଚିକା ଚାରି ଜଣ ଆଇନ ଛାତ୍ର ଦାଖଲ କରିଛନ୍ତି । ସେମାନଙ୍କ କହିବା କଥା ନିକଟରେ ହୋଇଥିବା ପହଲଗାମ ଆତଙ୍କୀ ହମଲା ଏବଂ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ରାଷ୍ଟ୍ରୀୟ ହିତ ବିରୋଧୀ ଅଟେ । ଏଥିରେ ସହିଦ ଯବାନ ଏବଂ ନାଗରିକଙ୍କ ବଳିଦାନର ଅପମାନ । ଯେବେ ଆମର ସୈନିକ ଜୀବନ ଦେଉଛନ୍ତି, ସେହି ଦେଶ ସହିତ କ୍ରିକେଟ୍ ଖେଳିବା ଭୁଲ୍ ସନ୍ଦେଶ ଯାଉଛି । ଏହା ସହିଦଙ୍କ ପରିବାରଙ୍କ ଭାବନାକୁ ଆଘାତ ଦେଉଛି । ମନୋରଞ୍ଜନକୁ ରାଷ୍ଟ୍ରର ସୁରକ୍ଷା ଓ ଗରିମା ଉପରେ ରଖାଯାଇ ପାରିବ ନାହିଁ ବୋଲି ପିଟିସନରେ ଦର୍ଶାଯାଇଛି ।
ଯାଚିକାକର୍ତ୍ତା କୋର୍ଟରେ ଏହି ଅପିଲ୍ କରିଛନ୍ତି ଯେ, କେନ୍ଦ୍ର ସରକାର ରାଷ୍ଟ୍ରୀୟ କ୍ରୀଡା ଶାସନ ଅଧିନିୟମ ୨୦୨୫ ଲାଗୁ କରନ୍ତୁ । କ୍ରିକେଟକୁ ରାଷ୍ଟ୍ରୀୟ କ୍ରୀଡା ମହାସଂଘରେ ଅନ୍ତର୍ଭୁକ୍ତ କରାଯାଉ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)କୁ କ୍ରୀଡା ମନ୍ତ୍ରଣାଳୟର ଅଧିନରେ ଅଣାଯାଉ ।