ନୂଆଦିଲ୍ଲୀ: ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଆମେରିକା ନିଜ ଇତିହାସର ସବୁଠୁ ବଡ ଆତଙ୍କୀ ହମଲାର ହୋଇଥିଲା ସମ୍ମୁଖୀନ । ଏହି ଭୟଙ୍କର ହମଲାରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ପୁରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା । ଏହି ହମଲା ପରେ ଆମେରିକା ଆତଙ୍କବାଦୀଙ୍କ ଉପରେ ପ୍ରହାର କରିବା ଆରମ୍ଭ କରିଥିଲା । ପୁଣି ଆଫଗାନିସ୍ତାନରେ ପ୍ରବେଶ କରି ଗୋଟି ଗୋଟି କରି ଅଲକାଏଦାର ଆତଙ୍କୀଙ୍କୁ ନିପାତ କରିଥିଲା ।
ଏହି ଘଟଣାକୁ ଆଜି ୨୪ ବର୍ଷ ବିତି ସାରିଛି, ମାତ୍ର ଆଜି ବି ଉକ୍ତ ଘଟଣା ଲୋକଙ୍କ ମନରେ ସତେଜ ଅଛି । ବହୁତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହି ହମଲା ସଂପର୍କିତ ପ୍ରଶ୍ନ ପଚରା ଯାଇଥାଏ । ଯଦି ଆପଣ ୟୁପିଏସସି, ଏସଏସି ପରି ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତେବେ ଆପଣଙ୍କୁ ୯/୧୧ ହମଲା ବିଷୟରେ ଜାଣିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା ଦୁନିଆର ସବୁଠୁ ବଡ ଆତଙ୍କୀ ହମଲା ୯/୧୧ ବିଷୟରେ ।
୯/୧୧ ହମଲା କଣ ?
୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଏଦାର ୧୯ ଆତଙ୍କବାଦୀ ଚାରୋଟି କମର୍ସିଆଲ ବିମାନକୁ ହାଇଜ୍ୟାକ କରି ନେଇଥିଲେ । ପୁଣି ବିମାନ ଜରିଆରେ ଆମେରିକାରେ ଆତ୍ମଘାତୀ ହମଲା କରାଇଥିଲେ । ଦୁଇଟି ବିମାନ ନ୍ୟୁୟର୍କ ସିଟିରେ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହମଲା କରିଥିଲା । ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ସାତ ଉଚ୍ଚ ଅଟ୍ଟାଳିକା ଥିଲା । ସେଥିରେ ସମାନ ପରି ଦୁଇଟି ଅଟ୍ଟାଳିକା ଥିଲା । ଏହା ଟୁଇନ ଟାୱାର ଭାବେ ପରିଚିତ । ଆତଙ୍କବାଦୀଙ୍କ ଦ୍ୱାରା ହାଇଜ୍ୟାକ ବିମାନ ଟୁଇନ ଟାୱାର ଉପରେ ମାଡ କରିଥିଲା ଏବଂ କିଛି ଘଣ୍ଟା ପରେ ଦୁଇଟି କୋଠା ଧରାଶାୟୀ ହୋଇଥିଲା ।
ତୃତୀୟ ବିମାନ ରାଜଧାନୀ ୱାଶିଂଟନ ଡିସି ବାହାରେ ଭର୍ଜିନିଆ ରାଜ୍ୟର ଅର୍ଲିଙ୍ଗନ ଅଭିମୁଖେ ମୁହାଁଇଥିଲା । ଏଠାରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଅର୍ଥାତ ପେଣ୍ଟାଗନ ରହିଛି । ଏହି ବିମାନକୁ ପେଣ୍ଟାଗନ ନିଆଯାଇ କ୍ରାଶ କରାଯାଇଥିଲା । ଚତୁର୍ଥ ବିମାନରେ ଥିବା ଯାତ୍ରୀମାନେ ଆତଙ୍କବାଦୀଙ୍କ ବିରୋଧ କରିବା ଆରମ୍ଭ କରିବାରୁ ବିମାନଟି ପେନସେଲଭାନିଆର ଏକ ଖେତରେ ଯାଇ ଖସିଥିଲା । ଏହି ହମଲା ଆମେରିକାକୁ ଦହଲାଇ ଦେଇଥିଲା । କାରଣ ଆମେରିକା ପ୍ରଥମ ଥର ଏହି ଧରଣର ଆଟାକ୍ ଦେଖିଥିଲା ।
ଅଲକାଏଦା ଆତଙ୍କବାଦୀଙ୍କ ଦ୍ୱାରା ଘଟାଯାଇଥିବା ଏହି ହମଲାରେ ଆମେରିକାର ବ୍ୟାପକ କ୍ଷତି ଘଟାଇଥିଲା । ସବୁଠୁ ଅଧିକ ଲୋକ ଟୁଇନ ଟାୱାର ହମଲାରେ ପ୍ରାଣ ହରାଇଥିଲେ । ପ୍ରଥମେ ବିମାନ ହମଲାରେ ଲୋକଙ୍କ ଜୀବନ ଯାଇଥିବା ବେଳେ ପୁଣି ଅଟ୍ଟାଳିକା ଭୁଶୁଡିବାରୁ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏହି ହମଲାରେ ୨୯୭୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରୁ ୯୦ ମୃତକ ଭିନ୍ନ ଭିନ୍ନ ଦେଶର ଥିଲେ । ୨୭୫୩ ଲୋକଙ୍କ ମୃତ୍ୟୁ ନ୍ୟୁୟର୍କରେ ହୋଇଥିବା ବେଳେ ୧୮୪ ଜଣ ପେଣ୍ଟାଗନ ଏବଂ ୪୦ ଜଣଙ୍କ ମୃତ୍ୟୁ ପ୍ଲେନ କ୍ରାଶ ଯୋଗୁଁ ହୋଇଥିଲା ।
ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନାକୁ କାହିଁକି କଲେ ଟାର୍ଗେଟ୍ ?
ପ୍ରଶ୍ନ ଉଠୁଛି ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନକୁ କାହିଁକି ଟାର୍ଗେଟ୍ କଲେ । ଏହାର ଉତ୍ତର ହେଉଛି ଆତଙ୍କବାଦୀଙ୍କ ପାଖରେ ଆମେରିକା ସେନାକୁ କ୍ଷତି ପହଞ୍ଚାଇବା ପାଇଁ ଶକ୍ତି ଓ ସାମର୍ଥ୍ୟ ନ ଥିଲା । ଏହା ପରିବର୍ତ୍ତେ ସେମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ହମଲା କରିଥିଲେ । ଯଦ୍ୱାରା ନିଜର ଶକ୍ତି ପ୍ରଦର୍ଶନ କରି ପାରିବେ । ଡବ୍ଲ୍ୟୁଟିସିରେ ସ୍ଥିତ ଟୁଇନ ଟାୱାର ବିଶ୍ୱ ଏବଂ ଆମେରିକାର ଆର୍ଥିକ ସମୃଦ୍ଧିର ପ୍ରତୀକ ଥିଲା । ଅନ୍ୟପଟେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଥିବା ଯୋଗୁଁ ପେଣ୍ଟାଗନ ଆମେରିକା ସୈନ୍ୟ ଶକ୍ତିର ପ୍ରତୀକ ଥିଲା । ତେଣୁ ଏହି ସ୍ଥାନରେ ହମଲା କରିବାକୁ ଚୟନ କରିଥିଲେ ଆତଙ୍କୀ ।
ଆତଙ୍କବାଦୀମାନେ ଆମେରିକାର ତିନୋଟି ବିମାନବନ୍ଦରରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକୁ ଅପହରଣ କରିଥିଲେ। ଏଥିରେ ବୋଷ୍ଟନର ଲୋଗାନ୍ ଅନ୍ତର୍ଜାତୀୟ ବିମାନବନ୍ଦର, ୱାଶିଂଟନ୍ ଡିସିର ଡଲେସ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନ୍ୟୁ ଜର୍ସିର ନ୍ୟୁଆର୍କ ଅନ୍ତର୍ଜାତୀୟ ବିମାନବନ୍ଦର ସାମିଲ। ଆତଙ୍କବାଦୀମାନେ ବିମାନବନ୍ଦର ସୁରକ୍ଷା ଯାଞ୍ଚ ପାର କରି ବକ୍ସ-କଟର ଏବଂ ଛୁରୀ ଚୋରା ଚାଲାଣ କରିଥିଲେ ଏବଂ କାଲିଫର୍ନିଆ ଅଭିମୁଖେ ଯାଉଥିବା ଚାରୋଟି ବିମାନରେ ଚଢ଼ିଥିଲେ। ଏହି ବିମାନଗୁଡ଼ିକୁ ଏଥିପାଇଁ ଚୟନ କରିଥିଲେ କାରଣ ସେମାନଙ୍କ ପାଖରେ ଦୀର୍ଘ ଦୂରତା ଉଡ଼ିବା ପାଇଁ ଇନ୍ଧନ ଥିଲା।
ଅଲକାଏଦା କଣ ?
ଅଲକାଏଦା ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ, ଯାହା ୧୯୮୦ ଦଶକର ଶେଷ ଭାଗରେ ଓସାମା ବିନ୍ ଲାଡେନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୨୦୧୧ ମେ ୧ରେ ଆମେରିକା ପାକିସ୍ତାନରେ ପ୍ରବେଶ କରି ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲା। ଏହି ଆତଙ୍କବାଦୀ ସଂଗଠନର ଲକ୍ଷ୍ୟ ଥିଲା ମଧ୍ୟପ୍ରାଚ୍ୟ ଏବଂ ମୁସଲିମ ବିଶ୍ୱର ସେହି ସରକାରଗୁଡ଼ିକୁ ଓଲଟାଇବା ଯେଉଁମାନେ ଧାର୍ମିକ ରାଜନୈତିକ ଏବଂ ସାମାଜିକ ବ୍ୟବସ୍ଥା କାର୍ୟ୍ୟକାରୀ କରନ୍ତି ନାହିଁ।
ଆମେରିକା ଉପରେ ଆକ୍ରମଣ କରାଯାଇଥିଲା କାରଣ ଏହା ଏହି ଦେଶଗୁଡ଼ିକର ସରକାରଙ୍କୁ ସମର୍ଥନ କରିଥିଲା। ଆମେରିକାର ସମର୍ଥନ ଅଲକାଏଦାର ଯୋଜନାକୁ ପୂରଣ ହେବାକୁ ଦେଉନଥିଲା। ୧୯୯୦ ଦଶକର ପ୍ରାରମ୍ଭରେ ଅଲକାଏଦା ବିଶ୍ୱର ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିରେ ୧୯୯୮ ମସିହାରେ କେନିଆ ଏବଂ ତାଞ୍ଜାନିଆରେ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ମଧ୍ୟ ଅନ୍ତର୍ଭୁକ୍ତ। ଆଜି, ଅଲକାଏଦା ପ୍ରାୟ ସମାପ୍ତ ହୋଇସାରିଛି।