ଭୁବନେଶ୍ୱର: ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା'। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ'। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ।
ପୁରୀର ତାଳବଣିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏଥିସହ ସଫଳତା ପାଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମଞ୍ଚରେ ସମ୍ମାନ ଦିଆଯିବ। ଏହା ଦ୍ୱାରା ଅନ୍ୟ ମହିଳା ମାନଙ୍କୁ ପ୍ରେରଣା ମିଳିବ। ପୁରୀ ତାଳବଣିଆରେ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।
ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ। ସେହିପରି ବୟସ ୬୦ ଟପିଲେ ପେନ୍ସନ ଲିଷ୍ଟକୁ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢନ୍ତୁ: ସୁଭଦ୍ରା ମହିଳାଙ୍କ ପାଇଁ ଖୁସି ଖବର; ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା