ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ବାହାରେ ପଡି ରହିଛି ପିଲାଙ୍କ ଚୌକି ଟେବୁଲ । ପିଲାଙ୍କ ପାଠ ପଢିବା ପାଇଁ ବ୍ୟବହୃତ ଆସବାବପତ୍ର ଗୁଡିକ ଖରା ବର୍ଷାରେ ପଡି ନଷ୍ଟ ହେଉଛି । ତେବେ ଘଟଣା ହେଉଛି ନିର୍ବାଚନ ସମୟର । ନିର୍ବାଚନ ପାଇଁ ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ଷ୍ଟ୍ରଙ୍ଗରୁମ ଭାବେ ବ୍ୟବହାର କରାଯାଉଥିଲା । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ ବାକ୍ସ ରଖିବା ପାଇଁ ଶ୍ରେଣୀ ଗୃହରୁ ଚୌକି ଟେବୁଲ ବାହାର କରାଯାଇ ଖୋଲା ଆକାଶରେ ରଖି ଦିଆଯାଇଥିଲା। ବିଗତ ଏକ ମାସ ମଧ୍ୟରେ ହୋଇଥିବା ବର୍ଷାରେ ଏହି ସାମଗ୍ରୀ ଗୁଡିକ ନଷ୍ଟ ହୋଇଯାଇଛି।
ଆଉ ଦିନ କେଇଟା ପରେ ମହାବିଦ୍ୟାଳୟ ଖୋଲିବ ଓ ପିଲାଙ୍କ ପାଠପଢା ଆରମ୍ଭ ହେବ । ହେଲେ ପିଲା କେମିତି ବସି ପାଠପଡିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛିନ୍ତି ବୁଦ୍ଧିଜୀବୀ ଓ ମହାବିଦ୍ୟାଳୟ ପୁରାତନ ଛାତ୍ର। ଏହି ଐତିହାସିକ ମହାବିଦ୍ୟାଳୟରେ ପୁରୁଣା ଶାଗୁଆନ କାଠ ନିର୍ମିତ ଚୌକି ଟେବୁଲ୍ ଗୁଡ଼ିକ ଭାଙ୍ଗିଯିବା ଆଳ ଦେଖାଇ ପରିବର୍ତ୍ତନ କରାଯିବା ପରେ ୫-ଟି ରୂପାନ୍ତିକରଣ ନାମରେ ଅଣାଯାଇଥିବା ଚୌକି ଟେବୁଲ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। ତେବେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବା ସହ ତୁରନ୍ତ ଏହି ସାମଗ୍ରୀ ଗୁଡିକ ପରିବର୍ତ୍ତନ କରାଇବା ନେଇ ଦାବୀ କରିଛନ୍ତି ମହାବିଦ୍ୟାଳୟର ପୁରାତନ ଛାତ୍ର।
ଅଧିକ ପଢନ୍ତୁ : ବୌଦ୍ଧରେ କଲର୍ ଓ ବ୍ଲାକ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ