କୋଥଗୁଡେମ୍: ଗତ କିଛି ଦିନ ହେବ ଦେଶର ମାଓ ଅଧ୍ୟୁଷିତ ରାଜ୍ୟ ଗୁଡ଼ିକରେ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି । ଆଜି ପୁଣି ୬ ଜଣ ମାଓବାଦୀ ସୁରକ୍ଷାବାହିନୀ ଏନକାଉଣ୍ଟରରେ ଟଳିଛନ୍ତି । ତେଲେଙ୍ଗାନାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ଗୁଳି ବିନିମୟରେ ୨ ଯବାନ ଗୁରୁତର ହୋଇଛନ୍ତି ।
ତେଲେଙ୍ଗାନା କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ମାଓବାଦୀ ଗତିବିଧି ନେଇ ସୁରକ୍ଷାବାହିନୀ ଖବର ପାଇଥିଲା । ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ଲୁଚି ରହିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ତଲାସୀ ଅଭିଯାନ । ସୁରକ୍ଷାବାହିନୀଙ୍କୁ ଦେଖି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ମାଓବାଦୀ ଟଳି ପଡ଼ିଥିଲେ । ଏହା ସହିତ ମାଓବାଦୀଙ୍କ ଗୁଳିରେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି । ସେମାନଙ୍କର ଚିକିସ୍ଚା ଚାଲିଥିବା ଜଣା ପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଦୁଇ ଦିନ ତଳେ ଛତିଶଗଡର ଦାନ୍ତେୱାଡା-ବିଜାପୁର ଜିଲ୍ଲାର ସୀମାରେ ଲୋହାଗାଁ ପିଡିଆ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୯ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ମାଓବାଦୀଙ୍କ ମୃତଦେହ ସହ ଏସଏଲଆର, ୩୦୩ ଓ ୧୨ ବସ୍ତା ହତିଆର ଜବତ କରାଯାଇଥିଲା । ଏହା ପୂର୍ବରୁ ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ନିକଟରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟରେ ୩ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ।