ରାଉରକେଲା: ସାଇବର ଠକେଇ ମାମଲାରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏକକାଳୀନ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ଏମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିଲେ ବୋଲି ଜଣାପଡ଼ିଛି ।
ପୋଲିସର ସୂଚନା ମୁତାବକ, ସାଇବର ଅପରାଧ ମାମଲାରେ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ଦୁଇ ଦିନ ତଳେ ୫ ଜଣ ଧରାପଡ଼ିଥିଲାବେଳେ ଆଜି ଆଉ ୯ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୨ ଜଣ ଘରୋଇ ବ୍ୟାଙ୍କ୍ କର୍ମଚାରୀ ସାମିଲ ଥିଲେ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଅଛନ୍ତି । ପ୍ରାୟ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇର ଜାଲ ବୁଣି ଥିଲେ । ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବୁଲେଟ ଗାଡ଼ି, ୧୫ଟି ମୋବାଇଲ ଫୋନ୍, ୧୦ ଟି ପ୍ୟାନ୍ କାର୍ଡ, ୪ଟି ଚେକ୍ ବୁକ୍ ଓ ଗୋଟିଏ ଲାପଟପ୍ ଜବତ କରାଯାଇଛି ।
ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବଡ଼ ବଡ଼ ଠକେଇ କରୁଥିଲେ । ଏହି ସିଣ୍ଡିକେଟ୍ ରାଉରକେଲାରୁ ଦୁବାଇ ଯାଏ ବ୍ୟାପିଛି । ବ୍ୟାଙ୍କ ଆକାଉଣ୍ଟ ଖୋଲି ପଡ଼ୋଶୀ ରାଜ୍ୟ ଓ ଦିଲ୍ଲୀକୁ ବ୍ୟାଙ୍କ ବିସ୍ତୃତ ରିପୋର୍ଟ ଦେଉଥିଲେ । ଏହି ଚେର କେବଳ ରାଉରକେଲାରେ ସୀମିତ ନ ଥିଲା । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ବିହାର ଯାଏଁ ଲମ୍ବିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହିତ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି ।