କଟକ: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ରାଜ୍ୟ ସରକାର ସଜାଗ ହୋଇଯାଇଛନ୍ତି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଅନ୍ତରୀଣ ଅଭିଯୋଗ କମିଟି ଗଠନକୁ ବାଧ୍ୟତା କରିଛନ୍ତି । ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟ ମହିଳା କର୍ମଚାରୀ ଏବଂ ଛାତ୍ରୀଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି ।
ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ, ସନ୍ଧ୍ୟା ୫ଟା ୩୦ପରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ ଏବଂ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ରହିପାରିବେ ନାହିଁ । କୌଣସି ମହିଳା କର୍ମଚାରୀ, ଅଧ୍ୟାପିକା ଏବଂ ଛାତ୍ରୀ ସନ୍ଧ୍ୟା ପରେ କ୍ୟାମ୍ପସ୍ ଛାଡ଼ିବାକୁ ବାଧ୍ୟ । ନୂତନ ଏସ୍ଓପି ନ ଆସିବା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ଗଣ ଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମହିଳା କର୍ମଚାରୀ ଏବଂ ଛାତ୍ରୀଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ବିଦ୍ୟାଳୟରେ ଆଇସିସି କମିଟି ଗଠନ ଏବଂ ପନର୍ଗଠନ କରିବାକୁ ଗଣ ଶିକ୍ଷା ବିଭାଗ ଗତକାଲି ନିର୍ଦ୍ଦେଶାନାମା ଜାରି କରିଥିଲା । ସେହିପରି ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଆଇସିସି ଗଠନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।