ଭୁବନେଶ୍ୱର: ମହମ୍ମଦ ମୋକିମ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଅନେକ ନେତା ମୁହଁ ଖୋଲୁ ନ ଥିବାବେଳେ ମାତ୍ର କେଇ ଜଣ ବରିଷ୍ଠ ନେତା ପ୍ରତିକ୍ରିୟା ରଖୁଛନ୍ତି । ତେବେ ଓଡ଼ିଶାର ବିବାଦ ଦିଲ୍ଲୀରେ ସମାଧାନ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।
ମୋକିମଙ୍କ ଚିଠି ପ୍ରସଙ୍କରେ ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶା ବିବାଦ ଦିଲ୍ଲୀରେ ସମାଧାନ କରାଯିବ । ଓଡ଼ିଶା କଂଗ୍ରେସରେ ଯେଉଁ ବିବାଦ ସୃଷ୍ଟି ହୋଇଛି ସେ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ । ଏଥିରେ କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ । ଓଡ଼ିଶାରେ କଂଗ୍ରେସ ପାଇଁ ଅନେକ ସୁଯୋଗ ଅଛି । ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ ସେ ନେଇ ଆଲୋଚନା ହେବ ବୋଲି କହିଛନ୍ତି।
ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଅସନ୍ତୋଷ ଝାଡିଛନ୍ତି । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ ରାଜ୍ୟ ବିଭାଜନକାରୀ ନେତା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍ରେ ହାରିଛି। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶଜନକ ହୋଇଛି । ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ ବୋଲି ମୋକିମ ଅନେକ ଅଭିଯୋଗ ଆଣିଛନ୍ତି ।