ଆଜି ହେଉଛି ଶେଷ ରଜ । ତିନି ଦିନ ରଜ ଉତ୍ସବର ଆଜି ହେଉଛି ଶେଷ ଦିନ । ଗାଁ ଠୁ ସହର ବେଶ ଧୁମଧାମରେ ରଜ ପର୍ବ ପାଳନ କରାଯାଉଥିବା ବେଳେ ଘରେ ଘରେ ଜମିଛି ରଜପାନ ଆଉ ପୋଡପିଠାର ଆସର । ଆଜି ଶେଷ ରଜ ହୋଇଥିବାରୁ କେହି ଏହାକୁ ହାତ ଛଡା କରୁନାହାନ୍ତି । କିଏ ପୋଡପିଠା , ପାନ ଖାଇ , ଦୋଳି ଖେଳି ରଜ ପର୍ବ ପାଳନ କରୁଛି ତ ଆଉ କିଏ କବାଡି , ତାସ , ଲୁଡୋ , ପଶାପାଲିର ମଜ ନେଉଛନ୍ତି । ଏହାସହିତ ଆଜି ରବିବାର ହୋଇଥିବାରୁ ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ୟ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠା ପଣାର ମଜା ଉଠାଉଛନ୍ତି ।