ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ତାତି । ଫେବୃଆରୀ ମାସ ନସରୁଣୁ କଲବଲ କଲାଣି ଖରା । ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି । ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ବି ତାତି ଏବେଠୁ ହିଁ ଡରାଇଲାଣି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି ।
ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ହେବା ସହିତ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଆସନ୍ତା ତିନି ଦିନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହିତ ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।