ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଫଳରେ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶୁଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଉପକୂଳ, ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ବଜ୍ରପାତ ସହ ପ୍ରବଳ ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍ସିଂହପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଲୋକମାନଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି ।
ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ମହାନଦୀ ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀକୁ ଯିବା ପାଇଁ ଲୋକଙ୍କୁ ମଧ୍ୟ ବାରଣ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।