କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଆଜି ହେଉଛି ଆଷାଢୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ମା'ଙ୍କ ମନ୍ଦିରରେ ଏହି ପର୍ବ ପାଳନ କରାଯାଏ । ଭକ୍ତ ଓ ସମାଜର କଲ୍ୟାଣ ପାଇଁ ଆଜି ମା' ତାରିଣୀଙ୍କ ଉପବାସ ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା' ତାରିଣୀଙ୍କ ସ୍ବତନ୍ତ୍ର ପୂଜା କରାଯାଇଥାଏ । ସନ୍ଧ୍ୟାରେ ମା' ତାରିଣୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଘଟଗାଁ ମା’ ତାରିଣୀଙ୍କ ଚଇତି ଓ ଆଷାଢୀ ଦୁଇଟି ସ୍ବତନ୍ତ୍ର ପର୍ବ । ଏହି ପର୍ବ ଦ୍ୱୟରେ ଚଳଚଞ୍ଚଳ ହୋଇପଡ଼ିଥାଏ ମା'ଙ୍କ ପୀଠ । ମା'ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଝୁଟିଥାଏ । ମା’ ତାରିଣୀଙ୍କ ଆଷାଢୀ ପର୍ବକୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି ।
କିମ୍ବଦନ୍ତୀ ଅନୁସାରେ, ବହୁ ବର୍ଷ ପୂର୍ବେ ଭଲ ଚାଷ ନହେବାରୁ ରାଜା ଗୋବିନ୍ଦ ଭଞ୍ଜ ମା’ ତାରିଣୀଙ୍କୁ ପ୍ରାର୍ଥନା କରିଥିଲେ । ସେହିଦିନ ହିଁ ମା’ ଦେହୁରୀଙ୍କୁ ସ୍ୱପ୍ନାଦେଶ ହେଲେ । ଆଷାଢ ମାସର ଶେଷ ଗୁରୁବାର ସମସ୍ତ ଗ୍ରାମର ମୁଖିଆଙ୍କୁ ପୂଜାର୍ଚ୍ଚନା ପାଇଁ ଡକାଇବାକୁ ଆଦେଶ ଦେଲେ । ମା’ଙ୍କ ଆଦେଶରେ ରାଜାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲା ।
ଗୋଟିଏ ପଟେ ପୂଜାର ପ୍ରସ୍ତୁତି ଚାଲିଥିବା ବେଳେ ସେପଟେ ପୁଣି ମା’ ଦେହୁରୀଙ୍କୁ ସ୍ୱପ୍ନାଦେଶ ଦେଲେ କି, ଗୁରୁବାର ମା’ ନିଜେ ଉପବାସ ରହି ପ୍ରଜାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବେ । ତେଣୁ ପୂଜା ଦିନରେ କରିବା ପରିବର୍ତ୍ତେ ରାତିରେ କରିବାକୁ ଆଦେଶ ଦେଲେ । ମା’ଙ୍କ ଆଦେଶ ଅନୁସାରେ ସମସ୍ତ ପୂଜାର୍ଚ୍ଚନା ହେଲା । ଗ୍ରାମବାସୀ ନିଜ ଗ୍ରାମକୁ ଯାଇ ଚାଷକାମ ଆରମ୍ଭ କଲେ । ଯାହାପରେ ଭଲ ଫସଲ ଉତ୍ପାଦନ ହେଲା । ସେହିଦିନ ଠାରୁ ମା'ତାରିଣୀ ଭକ୍ତ ଓ ସମାଜର କଲ୍ୟାଣ ପାଇଁ ଉପବାସ ରହିଥାନ୍ତି । ଯାହାକୁ ଅଷାଢୀ ପର୍ବ ଭାବେ ପାଳନ କରାଯାଉଛି ।